ଲୋକଙ୍କ ପାଇଁ ନୂଆ ଆଶା ଓ ସୁଯୋଗ ଆଣିଛି ବଜେଟ : ମୋଦି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣଙ୍କ ଦ୍ୱାରା ଆଜି ଲୋକସଭାରେ ଆଗତ ବଜେଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହା ଲୋକଙ୍କ ପାଇଁ ଆଶା ଓ ଅନେକ ସୁଯୋଗ ଆଣି ଦେଇଛି । ଏହା ଏକ ପ୍ରଗତିଶୀଳ ବଜେଟ । ଏଥିରେ ଅର୍ଥନୈତିକ ସ୍ଥିତି ସୁଦୃଢ କରିବା ପାଇଁ ବଳିଷ୍ଠ ଓ ଉପଯୋଗୀ ବ୍ୟବସ୍ଥା ରହିଛି । ଭିତ୍ତିଭୂମି, ଅର୍ଥନୈତିକ ପୁର୍ନଉଦ୍ଧାର, ଅଧିକରୁ ଅଧିକ ନିବେଶ ଏବଂ ଅଧିକରୁ ଅଧିକ ନିଯୁକ୍ତ ସୁଯୋଗ ସୃଷ୍ଟିର ସମ୍ଭାବନା ଏଥିରେ ଭରପୂର ହୋଇ ରହିଛି । ଏମ୍‌ଏସ୍‌ପି ପାଇଁ ୨.୨୫ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରାଯାଇଛି । ଏହା ସିଧାସଳଖ ଚାଷୀମାନଙ୍କ ଆକାଉଣ୍ଟକୁ ଯିବ । ତାହା ସହିତ ଏହି ବଜେଟ୍‌ ଚାଷୀମାନଙ୍କର ଆୟକୁ ଦ୍ୱିଗୁଣିତ ମଧ୍ୟ କରିବ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ମଧ୍ୟ ଏଥିରେ ଭଲ ବ୍ୟବସ୍ଥା ରହିଛି । ଏକାଧିକ ନୂଆ ଯୋଜନା ପ୍ରଚଳନ କରାଯିବାର ଘୋଷଣା ମଧ୍ୟ ହୋଇଛି । ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ ବଜେଟରେ ସମାଜର ସବୁ ବର୍ଗଙ୍କ ସ୍ୱାର୍ଥକୁ ଧ୍ୟାନ ଦିଆଯାଇଛିା
ମଧ୍ୟବିତ୍ତଙ୍କ ପାଇଁ କିଛି ବି ନାହିଁ : ରାହୁଲ
ନୂଆଦିଲ୍ଲୀ: ବଜେଟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା ଏକ ଅନ୍ତଃସାରଶୂନ୍ୟ ବଜେଟ । ଏଥିରେ ଗରିବ ଓ ମଧ୍ୟବିତ୍ତ ପରିବାରବର୍ଗଙ୍କୁ ନିରାଶ କରାଯାଇଛି । ସେମାନଙ୍କ ପାଇଁ କିଛି ବି ବ୍ୟବସ୍ଥା ନାହିଁ । ସମାଜର ଅବହେଳିତ, ଗରିବ, ସ୍ୱଳ୍ପବେତନ ଭୋଗୀ ଏବଂ ଯୁବକ ତଥା ଚାଷୀମାନଙ୍କୁ ଭୀଷଣ ଭାବରେ ନିରାଶ କରାଯାଇଛି । ଏମ୍‌ଏମ୍‌ଏମ୍‌ଇ ପାଇଁ ପ୍ରକୃତରେ ସେଭଳି କୌଣସି ଖାସ୍‌ ବ୍ୟବସ୍ଥା ନାହିଁ ।
ସାଧାରଣ ଲୋକଙ୍କୁ ନିରାଶ କରାଯାଇଛି : ମମତା
କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ବଜେଟ ଗରିବ ସ୍ୱାର୍ଥ ବିରୋଧୀ ବଜେଟ । ଏଥିରେ ସାଧାରଣ ଜନତାଙ୍କ ପାଇଁ କିଛି ବି ରଖାଯାଇନାହିଁ । ବେକାର ସମସ୍ୟା ଦୂରୀକରଣ ପାଇଁ ବଳିଷ୍ଠ ବ୍ୟବସ୍ଥା ନାହିଁ । ସେହିପରି ମୂଦ୍ରାସ୍ଫୁତି ହାର ବୃଦ୍ଧି ରୋକିବା ଲାଗି ମଧ୍ୟ ଯୋଜନା ନାହିଁ । ଏହା ବଡବଡିଆଙ୍କ ବଜେଟ । ଏଥିରୁ ପେଗାସସ ଗନ୍ଧ ଆସୁଛି । ବଜେଟରୁ ମନେ ହେଉଛି ଯେ, ହୀରା ସରକାରଙ୍କର ଅତି ପ୍ରିୟ ବନ୍ଧୁ ।
ନୂଆ ଭାରତର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ : ଧର୍ମେନ୍ଦ୍ର
ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହା ନୂଆ ଭାରତର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଛି । ଏହି ବଜେଟ୍‌ ଉତ୍ସାହଜନକ, ଭବିଷ୍ୟତବାଦୀ, ଅଭିବୃଦ୍ଧି ଭିତ୍ତିକ ଏବଂ ଲୋକାଭିମୁଖୀ ବଜେଟ୍‌ । ସମାଜର ସବୁ ବର୍ଗଙ୍କୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

Comments (0)
Add Comment