ଦେଶରେ ୮କୁ ବୃଦ୍ଧି ପାଇଲା ମଙ୍କିପକ୍ସ ମାମଲା

ଥିରୁବନ୍ତପୁରମ୍‌: କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ୩୦ ବର୍ଷିୟ ଯୁବକ ଏହି ଭାଇରସ୍‌ରେ ସଂକ୍ରମିତ ହୋଇଥିବା ନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଜର୍ଜ ସୂଚନା ଦେଇଛନ୍ତି । ଆକ୍ରାନ୍ତ ଯୁବକ ଜଣକ କେରଳର ମଲ୍ଲପୁରମ୍‌ ଅଞ୍ଚଳର । ସେ ୨୭ ଜୁଲାଇରେ ୟୁଏଇରୁ କୋଝିକୋଡ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ଆସିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ଏହାପରେ ବିମାନ ବନ୍ଦରରେ ତାଙ୍କ ଟେଷ୍ଟିଂ କରାଯାଇଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାରମ୍ଭିକ ଚିକିତ୍ସା ପରେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ମଙ୍କିପକ୍ସ ଲକ୍ଷଣ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ରାଜ୍ୟର ଥ୍ରୀସୁର ଜିଲ୍ଲାରେ କୋଡିଏ ଜଣଙ୍କୁ କ୍ୱାରେଣ୍ଟାଇନ୍‌ରୁ ମୁକ୍ତ କରାଯାଇଥିବା ଅଧିକାରୀମାନେ ସୋମବାର କହିଛନ୍ତି । ସେହିପରି,ଆଜି ଆଉ ଜଣେ ବ୍ୟକ୍ତି ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସୋମବାର ଦିଲ୍ଲରୁ ଜଣେ ୩୫ ବର୍ଷିୟ ନାଇଜେରିଆ ବ୍ୟକ୍ତି ମଙ୍କିପକ୍ସରେ ସଂକ୍ରମିତ ହୋଇଥିଲା ଖବର ସାମ୍ନାକୁ ଆସିଥିଲା । ସେହିପରି ରାଜସ୍ଥାନରେ ମଧ୍ୟ ଜଣେ ବର୍ଷିୟ ଯୁବକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଉକ୍ତ ଯୁବକ ଗତ ୪ ଦିନ ହେବ ଜ୍ୱରରେ ପୀଡିତ ଥିଲେ । ଏଥିସହ ତାଙ୍କ ଦେହସାରା ଘା’ ମଧ୍ୟ ହୋଇଯାଇଥିଲା । ଏହାପରେ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଦେଶରେ ବଢୁଥିବା ମଙ୍କିପକ୍ସ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସ୍ଥିତି ଉପରେ ନଜର ରଖିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ସେହିପରି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ବିମାନବନ୍ଦର, ରେଲୱେ ଷ୍ଟେସନ,ବସ୍‌ଷ୍ଟେସନରେ ସ୍କ୍ରିନିଂ କରାଯିବ । ଏଥିସହ ମଙ୍କିପକ୍ସରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ୨୧ ଦିନ ଯାଏଁ ଆଇସୋଲେସନରେ ରଖିବାକୁ ବାଧ୍ୟ ବୋଲି ବୃହତ ବେଙ୍ଗାଲୁରୁ ମାନଗର ନିଗମ ଦ୍ୱାରା ନିର୍ଦ୍ଦେଶ ଜାରି କରାଯାଇଛି ।

Comments (0)
Add Comment