ନୂଆଦିଲ୍ଲୀ : ସହରରେ ରହୁଥିବା ଗରିବ ଲୋକ ଏବଂ ପ୍ରବାସୀ ଶ୍ରମିକମାନଙ୍କ ଲାଗି କେନ୍ଦ୍ର ସରକାର ଆଜି ଏକ ବଡ଼ କଲ୍ୟାଣକାରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସହରରେ ରହୁଥିବା ଗରିବ ଓ ପ୍ରବାସୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦିଆଯିବ । କେନ୍ଦ୍ର ସରକାର ଏଥିପାଇଁ ଦେୟ ଯୋଗ୍ୟ ଭଡ଼ା ଘର କମ୍ପେ୍ଲକ୍ସ (ଏଏଚ୍ଆର୍ସି) ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ମଞ୍ଜୁରୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଜରିଆରେ ଗରିବ ଦିନମଜୁରିଆମାନଙ୍କୁ ଏହି ଘର ଯୋଗାଇ ଦିଆଯିବ । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ମଜୁରିଆଙ୍କ ପାଇଁ ୧.୧୫ ଲକ୍ଷ ଘର ତିଆରି ହେବ । ଏହି ଘରେ ଗୋଟିଏ ବେଡ ରୁମ ଏବଂ ରୋଷେଇ ଘର ରହିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଜନା ଜରିଆରେ ଶ୍ରମିକମାନଙ୍କୁ ଘର ଯୋଗାଇ ଦେବେ ସରକାର । ଏହି ଯୋଜନାରେ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ସରକାରୀ ପାଣ୍ଠିରୁ ତିଆରି ହେବ ଏହି ସବୁ ଘର । ଏହା ବ୍ୟତୀତ ୫୦ ପ୍ରତିଶତ ଅତିରିକ୍ତ ଏଫ୍ଏଆର/ଏଫ୍ଏସ୍ଆଇ, ଟିକସ ରିଲିଫ୍ ଭଳି ବିଶେଷ ପ୍ରୋତ୍ସାହନ ପ୍ରଦାନ ଦେବ ସରକାର ।
ଏହା ବ୍ୟତୀତ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ନଭେମ୍ୱର ମାସ ଯାଏ ବଢ଼ାଇଛନ୍ତି ସରକାର । ଉଜ୍ଜଳା ଯୋଜନା ଜରିଆରେ ଫ୍ରୀ ଏଲପିଜି ସିଲିଣ୍ଡର ମଧ୍ୟ ବଣ୍ଟାଯିବ ବୋଲି ଜଣାପଡ଼ିଛି । ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ୱର ଯାଏ ଉଜ୍ଜଳା ଯୋଜାନର ଉପଭୋକ୍ତା ମାଗଣାରେ ସିଲିଣ୍ଡର ପାଇବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।