ରାଜସ୍ଥାନ ସରକାରଙ୍କୁ ଝଟ୍କା ପରେ ଝଟ୍କା

ଜୟପୁର : ରାଜସ୍ଥାନରେ ରାଜନୈତିକ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । ରାଜନୈତିକ ଛକାପଞ୍ଝାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ଝଟ୍କା ପରେ ଝଟ୍କା ଲାଗିଥିବା ବେଳେ ବିଦ୍ରୋହୀ ନେତା ସଚିନ୍ ପାଇଲଟଙ୍କୁ ଆହୁରି ଆଶ୍ୱସ୍ତି ମିଳିଛି । ସଚିନ୍ ଓ ତାଙ୍କର ୧୮ଜଣ ସମର୍ଥକ ବିଧାୟକଙ୍କ ଅଯୋଗ୍ୟତା ମାମଲା ଶୁଣାଣି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ଶୁକ୍ରବାର ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଧାନସଭା ଡକାଇବା ଲାଗି ମୁଖ୍ୟମନ୍ତ୍ରୀ ଗେହଲଟ ଯେଉଁ ଦାବି କରିଥିଲେ ତାହାକୁ ରାଜ୍ୟପାଳ ଅଗ୍ରାହ୍ୟ କରିଦେଇଛନ୍ତି । ବର୍ତ୍ତମାନର ସ୍ଥିତିରେ ବିଧାନସଭା ଅଧିବେଶନ ଡକାଇବା ଉଚିତ୍ ହେବନାହିଁ ବୋଲି ରାଜ୍ୟପାଳ କହିଛନ୍ତି ।
ସୂତ୍ର ଅନୁଯାୟୀ, ରାଜ୍ୟପାଳଙ୍କ ପକ୍ଷରୁ କୁହାଯାଇଛି ଏବେ ଭାରତୀୟ ଜନତା ପାର୍ଟି, କଂଗ୍ରେସର ବିଧାୟକ କରୋନା ସଂକ୍ରମିତ । ତେଣୁ ଏମିତି ସ୍ଥିତିରେ ବିଧାନସଭା ଅଧିବେଶନ ଡକାଇବା ଠିକ୍ ନୁହେଁ । ଅଶୋକ ଗେହଲଟଙ୍କ ଗୋଷ୍ଠୀଙ୍କୁ ପ୍ରଥମେ ହାଇକୋର୍ଟରୁ ଝଟକା ଲାଗିବା ପରେ ଏବେ ରାଜଭବନରୁ ମଧ୍ୟ ଆଶାର କିରଣ ନଜର ଆସୁନାହିଁ ।
ଅନ୍ୟପଟେ ରାଜସ୍ଥାନରେ ହୁଇପ୍ ଉଲ୍ଲଂଘନ ମାମଲାରେ ରାଜସ୍ଥାନ ହାଇକୋର୍ଟ ଯଥାସ୍ଥିତି ବଜାୟ ରଖିବା ଆଦେଶ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ରାଜଭବନ ପହଞ୍ଚି ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଛନ୍ତି । ଏହି ସମୟରେ ଗେହଲଟ ଗୋଷ୍ଠୀର ବିଧାୟକ ରାଜଭବନରେ ଧାରଣା ଦେବା ଆରମ୍ଭ କରି ଦେଇଛନ୍ତି । ବିଧାୟକମାନେ ଗେହଲଟ ଜିନ୍ଦାବାଦ ନାରା ଲଗାଇଛନ୍ତି ।
ଏମିତି ସ୍ଥିତିରେ ଅଶୋକ ଗେହଲଟ୍ ସରକାର ସୁପ୍ରିମକୋର୍ଟର ପୁଣି ଥରେ ଦ୍ୱାରସ୍ଥ ହୋଇ ପାରନ୍ତି । ତୁରନ୍ତ ବିଧାନସଭା ଅଧିବେଶନ ଡକାଇବା ଓ ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ ସରକାରଙ୍କୁ ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଦାବି କରାଯାଇପାରେ । ହେଲେ ଏବେ ମଧ୍ୟ ରାଜ୍ୟପାଳଙ୍କ ପକ୍ଷରୁ ବିଧାନସଭା ଅଧିବେଶନ ଡକାଇବା ଉପରେ କୌଣସି ଅନ୍ତିମ ନିର୍ଣ୍ଣୟ ନିଆଯାଇ ନାହିଁ । ଏଥିରୁ ସ୍ପଷ୍ଟ ଜଣା ପଡିଛି ଯେ ଅଶୋକ ଗେହଲଟଙ୍କ ସାମ୍ନାରେ ଲଗାତାର ଜଟିଳ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । କାରଣ ଗୋଟିଏ ପଟେ ବିଧାୟକଙ୍କ ଦାବି ଗେହଲଟ ସରକାର ଶୀଘ୍ର ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରନ୍ତୁ ଓ ଶୀଘ୍ର ହୋଟେଲ୍ରୁ ବାହାରକୁ ଆସନ୍ତୁ । ଏହା ବ୍ୟତୀତ ପାଇଲଟ୍ ସମୂହକୁ ବାଚସ୍ପତିଙ୍କ ପକ୍ଷରୁ ଜାରି ନୋଟିସ୍ ଉପରେ ମଧ୍ୟ କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଏମିତିରେ ରାଜସ୍ଥାନ ରାଜନୀତିର ମାମଲାର ଶୁଣାଣି କୋର୍ଟରେ ଅଧିକ ସମୟ ଚାଲିପାରେ ।

Comments (0)
Add Comment