ବାୟୁଦ୍ୱାରା କରୋନା ସଂକ୍ରମଣ ହେଉଛି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା : ସମଗ୍ର ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚିଥିବା ମହାମାରୀ କରୋନା ଭାଇରସ ସଂକ୍ରମଣ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏକ ବଡ଼ ଘୋଷଣା କରିଛି । କରୋନା ବାୟୁଦ୍ୱାରା ମଣିଷକୁ ସଂକ୍ରମିତ କରୁଛି ବୋଲି ସଂଗଠନ ସ୍ୱୀକାର କରିଛି । ବାୟୁଦ୍ୱାରା ଏହା ବ୍ୟାପୁଥିବା ପ୍ରମାଣକୁ ଏହା ସ୍ୱୀକାର କରିବା ସହିତ ଏଥିରୁ ରକ୍ଷା ପାଇବା ପାଇଁ ଅଧିକ ସତର୍କତା ଅବଲମ୍ବନ ନମନ୍ତେ ବିଶ୍ୱବାସୀଙ୍କୁ ପରାମର୍ଶ ଦେଇଛି । ଏହି ଶ୍ୱାସପ୍ରଶ୍ୱାସ ଜନିତ ରୋଗ ବାୟୁବାହିତ ହୋଇ ଲୋକମାନଙ୍କ ଦେହକୁ ବ୍ୟାପୁଛି ବୋଲି ସଂଗଠନ ସ୍ପଷ୍ଟ କରିଦେଇଛି । କରୋନା ଗାଇଡାନ୍ସ ନବୀକରଣ କରିବାକୁ ସଂଗଠନ ନିକଟରେ ବହୁ ବୈଜ୍ଞାନିକ ଦାବି କରିଥିଲେ । ଏହାପରେ ସଂଗଠନ ଏଭଳି ସ୍ୱୀକାରୋକ୍ତି ପ୍ରକାଶ କରିଛି । ଯାହାକୁ ନେଇ ବର୍ତ୍ତମାନ ଚିନ୍ତା ବଢ଼ିଯାଇଛି ।
ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କୋଭିଡ୍-୧୯ ମହାମାରୀର ବୈଷୟିକ ନେତୃତ୍ୱ ନେଉଥିବା ମାରିଆ ଭ୍ୟାନ୍ କେର୍ଖୋଭ୍ କହିଛନ୍ତି, କୋଭିଡ୍-୧୯ ବିସ୍ତାରର ଅନ୍ୟତମ ମାଧ୍ୟମ ଭାବେ ଆମେ ବାୟୁବାହିତ ଓ ବାୟୁମିଶ୍ରିତ ସଂକ୍ରମଣ ପ୍ରସଙ୍ଗରେ ଆଲୋଚନା କରି ଆସୁଥିଲୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂର୍ବରୁ କହିଥିଲା ଯେ, ଏହି ରୋଗ ସଂକ୍ରମଣ ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତିର ନାକ କିମ୍ବା ପାଟିରୁ ବାହାରୁ ଥିବା ଅତି ସୂକ୍ଷ୍ମ ଜଳକଣା ଦ୍ୱାରା ଜଣେ ଲୋକ ଠାରୁ ଅନ୍ୟ ଜଣେ ଲୋକ ଶରୀରରେ ପ୍ରବେଶ କରୁଛି । ଏହି ସୂକ୍ଷ୍ମ ଜଳକଣା କାଶ, ଛିଙ୍କ ବା କଥାବାର୍ତ୍ତା ଦ୍ୱାରା ଦେହରୁ ବାହାରକୁ ଆସି ତୁରନ୍ତ ମାଟିରେ ମିଶିଯାଇଥାଏ ।
କରୋନାଭାଇରସ୍ ମଧ୍ୟ ବାୟୁବାହିତ ବୋଲି ଏକ ଖୋଲା ଚିଠିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଏ ପ୍ରସଙ୍ଗରେ ବୈଜ୍ଞାନିକମାନେ ସୂଚନା ଦେଇଥିଲେ । ୩୨ ଦେଶର ୨୩୯ ଜଣ ବୈଜ୍ଞାନିକ କରୋନାଭାଇରସ୍ ସଂକ୍ରମଣର ମାଧ୍ୟମ ଉପରେ ଗବେଷଣା କରି ପ୍ରସ୍ତୁତ କରିଥିବା ଏହି ଆଲେଖ୍ୟ ଆସନ୍ତା ସପ୍ତାହରେ କୌଣସି ଏକ ବୈଜ୍ଞାନିକ ଜର୍ଣ୍ଣାଲ୍ରେ ପ୍ରକାଶ ପାଇବ । କେହି ଜଣେ କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତି ଛିଙ୍କିବା ପରେ ବାହାରୁ ଥିବା ବଡ ଆକାର ବା ଛୋଟ ଆକାର ଜଳକଣା ବାୟୁରେ ଉଡି ବୁଲେ ଏବଂ ଲୋକେ ସେ ବାୟୁ ନିଃଶ୍ୱାସରେ ଗ୍ରହଣ କରି ସଂକ୍ରମିତ ହୁଏ ବୋଲି ସମ୍ପୃକ୍ତ ବୈଜ୍ଞାନିକମାନେ କହିଛନ୍ତି ।

Comments (0)
Add Comment