କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପାଇଲଟ୍

ଜୟପୁର : ରାଜସ୍ଥାନରେ କଂଗ୍ରେସ ସରକାରର ଗୃହ କଳି ଏବେ କୋର୍ଟକୁ ପହଞ୍ଚିଗଲାଣି । ସଚିନ ପାଇଲଟ୍ ଏବଂ ଅନ୍ୟ ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଛନ୍ତି । ଗୁରୁବାର ଅର୍ଥାତ୍ ଆଜି ଦିନ ୩ଟା ସମୟରେ ଏନେଇ କୋର୍ଟ ଶୁଣାଣି କରିବେ ।
ସୂଚନା ଯେ, ରାଜସ୍ଥାନ ବିଧାନସଭା ବାଚସ୍ପତି ବୁଧବାର ପାଇଲଟଙ୍କ ସମେତ ୧୯ ବିଧାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଅଯୋଗ୍ୟତା ନୋଟିସ କରିଥିଲେ । ଏନେଇ ସମସ୍ତ ବିଧାୟକଙ୍କୁ ଜୁଲାଇ ୧୭ ସୁଦ୍ଧା ଜବାବ ଦେବାକୁ ନୋଟିସ୍ ହୋଇଥିଲା ।
ତେବେ ଏହାକୁ ଚ୍ୟାଲେଞ୍ଜ କରି ପାଇଲଟ୍ ଓ ତାଙ୍କ ସମର୍ଥକ ବିଧାୟକମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ପାଇଲଟଙ୍କ ନିକଟସ୍ଥ ସୂତ୍ରରୁ ଜଣାପଡ଼ିଛି ଯେ, କୌଣସି ଭୁଲ କାମ କରି ନ ଥିବାରୁ ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେଲୁ । ଆମ ବିରୋଧରେ ଭୁଲ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆମକୁ ନୋଟିସ୍ ଜାରି କରାଯାଇଛି, ଯାହା ଗତକାଲି ବିଳମ୍ବିତ ରାତିରେ ଆମକୁ ମିଳିଛି । ଆମକୁ ଆସନ୍ତା କାଲି ଭିତରେ ଜବାବ ଦାଖଲ କରିବାକୁ କୁହାଯାଇଛି । ଆମେ ଯଦି ପାର୍ଟି ବିରୋଧୀ କାମ କରିନାହୁଁ, ଆମେ କାହିଁକି ଜବାବ ଦେବୁ । ଏ ସବୁ କୋର୍ଟରେ ଉପସ୍ଥାପନ କରିବୁ । ଗୋଟିଏ ପଟେ ଦଳର ଦ୍ୱାର ଖୋଲା ଅଛି କହୁଛନ୍ତି, ତେବେ କାର୍ଯ୍ୟାନୁଷ୍ଠାନ କିଏ କରୁଛି ବୋଲି ସେମାନେ କହିଛନ୍ତି ।
ଏ ସବୁ ପରିସ୍ଥିତିରେ ଗେହଲଟ୍ ସରକାରଙ୍କ ପାଇଁ ଅଡ଼ୁଆ ବଢ଼ିଚାଲିଛି । ଯଦି ଗେହେଲଟ୍ ଏ ସମସ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଦେବେ । ତେବେ ଗୃହରେ ଫ୍ଲୋର୍ ଟେଷ୍ଟ ସ୍ଥିତି ଆସିବ ଏବଂ ସଂଖ୍ୟା ଗରିଷ୍ଠତା ମଧ୍ୟ କମ୍ ହୋଇଯିବ । ଗେହଲଟ ସରକାର ଆସ୍ଥା ଭୋଟ୍ ବେଳେ ଆବଶ୍ୟକ ମ୍ୟାଜିକ୍ ନମ୍ୱରଠାରୁ ପଛରେ ପଡ଼ିଯିବେ ।

Comments (0)
Add Comment