କୋମାରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଜଟିଳ ହୋଇପଡ଼ିଛି । ବର୍ତ୍ତମାନ ସେ କୋମା ଅବସ୍ଥାକୁ ଚାଲିଯାଇଛନ୍ତି । ଦୁଇ ଦିନ ତଳେ ମସ୍ତିଷ୍କରେ ଅସ୍ତ୍ରୋପଚାର ହେବା ପରଠାରୁ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଦିଲ୍ଲୀର ଆର୍ମି ରିସର୍ଚ୍ଚ ଓ ରେଫରୋଲ୍‌ ହସ୍ପିଟାଲର ଏକ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କର ତାପମାତ୍ରା, ରକ୍ତଚାପ, ହୃଦ୍‌ସ୍ପନ୍ଦନ ଓ ଶ୍ୱାସକ୍ରିୟା ସ୍ଥିର ରହିଛି ବୋଲି ସୂଚନା ଦେଇଛନ୍ତି ।ସୂଚନା ମୁତାବକ, ନୂଆଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍‌ରେ ସୋମବାର ମସ୍ତିଷ୍କ ଅସ୍ତ୍ରୋପଚାର ପରେ ଭେଣ୍ଟିଲେଟର ସହାୟତାରେ ରହିଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସ୍ୱାସ୍ଥାବସ୍ଥାରେ ଆଦୌ ଉନ୍ନତି ପରିଲକ୍ଷିତ ହୋଇନାହିଁ ବୋଲି ଗତକାଲି ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା । ବରଂ ବେଳୁ ବେଳ ତାହା ଅଧିକ ଖରାପ ହେଉଥିବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିବା କୁହାଯାଇଥିଲା । ଏକ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଅହରହ ନିରୀକ୍ଷଣରେ ରହିଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟତମ ଉନ୍ନତି ହୋଇ ନ ଥିବା ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ, ଶ୍ରୀ ମୁଖାର୍ଜୀଙ୍କୁ ଗତ ଅଗଷ୍ଟ ୧୦ରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିବା ପରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା । ସୋମବାର ଅସ୍ତ୍ରୋପଚାର ପୂର୍ବରୁ ୮୪ ବର୍ଷୀୟ ଶ୍ରୀ ମୁଖାର୍ଜୀ କୋଭିଡ-୧୯ ପାଇଁ ମଧ୍ୟ ହୋଇଥିବା ପରୀକ୍ଷାରେ କରୋନା ପଜିଟିଭ୍‌ ଥିବା ଜଣା ପଡିଥିଲା । ଏବଂ ଏ ସଂପର୍କରେ ନିଜେ ଶ୍ରୀ ମୁଖାର୍ଜୀ ଟୁଇଟ୍‌ କରି ସୂଚନା ଦେଇଥିଲେ ।

Comments (0)
Add Comment