ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପଦକ୍ଷେପ ଗ୍ରହଣ କରିସାରିଲେଣି । ସଂକ୍ରମଣର ମୁକାବିଲା, ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପର ଅଗ୍ରଗତି ସମୀକ୍ଷା ପାଇଁ ଅନେକ ବୈଠକ ମଧ୍ୟ ବସିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସମୟରେ ଯେଭଳି ଘନଘନ ସମୀକ୍ଷା ବୈଠକ କରିଛନ୍ତି, ତାହା ଚର୍ଚ୍ଚାର ବିଷୟ ହୋଇଛି । ଗତ ମାସକ ମଧ୍ୟରେ ସେ ୫୦ରୁ ଅଧିକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ।
ନିୟମିତ ପ୍ରତ୍ୟକ୍ଷ ସମ୍ପୃକ୍ତି ଭଳି କାର୍ଯ୍ୟ ଏବଂ ସର୍ବସାଧାରଣ କାର୍ଯ୍ୟକ୍ରମ ନ ଥିବାରୁ ଗୋଟିଏ ଦିନରେ ଏକାଧିକ ଭର୍ଚୁଆଲ୍ ଆଲୋଚନାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଯଥେଷ୍ଟ ସମୟ ଥିଲା । ପ୍ରାୟ ୧୦ ଜଣ ବ୍ୟକ୍ତି ଯୋଗ ଦେଉଥିବା ଏହି ସମୀକ୍ଷା ବୈଠକ ସବୁ ହାରାହାରି ଦୁଇ ଘଣ୍ଟା ଧରି ଚାଲୁଥିଲା । ଏମିତି ହିସାବ କଲେ ପ୍ରଧାନମନ୍ତ୍ରୀ ଏଥିପାଇଁ ସମୁଦାୟ ୧୦୦୦ ଘଣ୍ଟା ସମୟ ବ୍ୟୟ କରିଛନ୍ତି ବୋଲି ଶୀର୍ଷସ୍ତରୀୟ ଅଧିକାରୀମାନେ କହିଛନ୍ତି । ଅଭିବୃଦ୍ଧି ବଢ଼ାଇବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟା ଉପରେ ଏହି ସବୁ ବୈଠକ ଅନୁଷ୍ଠିତ ହୋଇଛି ।
ଭିତ୍ତିଭୂମି ପରିଚାଳନା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଟିକସ ପର୍ଯ୍ୟନ୍ତ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଜନସାଧାରଣଙ୍କ ଜୀବନଯାତ୍ରା ସହଜ କରିବାକୁ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀକୁ ସୁହାଇବା ଭଳି ଜନମଙ୍ଗଳ ଯୋଜନା କରିବା ଆଦି ସଂକ୍ରାନ୍ତରେ ଏକାଧିକ ବୈଠକ ଆୟୋଜିତ ହୋଇଛି ।
ବନ୍ଦରମାନଙ୍କ ଆଖପାଖରେ ଥିବା ଜମିର ବ୍ୟବହାର, ସ୍ୱଚ୍ଛତା ଉନ୍ନତ କରିବାକୁ ଫେସ୍ଲେସ୍ ଟ୍ୟାକ୍ସ୍ ଆସେସ୍ମେଣ୍ଟ୍, ସ୍ଥାନୀୟ ସରକାରୀସ୍ତରରେ ରାଜ୍ୟର ସାମର୍ଥ୍ୟ ବଢ଼ାଇବାକୁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ମଫସଲ ଅଞ୍ଚଳରେ ଅନ୍ଲାଇନ୍ ଶିକ୍ଷା ପ୍ରସାର ଲାଗି ଯୋଜାନା ଏବଂ ‘ଡିବିଟି’ ଯୋଜନାରେ ଅଧିକ ‘ୟୁପିଆଇ’ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।