ଲୋକଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁଁ ଦେଶ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଆମ ଆଗରେ ଏକାଧିକ ଚ୍ୟାଲେଞ୍ଜ୍ । ତଥାପି ଏହା ମଧ୍ୟରେ ଆମେ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଉଛୁ । ବିଶେଷକରି ସେମାନଙ୍କ ରୋଜଗାର ଓ ସ୍ୱାସ୍ଥ୍ୟ ପ୍ରତି ସରକାର ସର୍ବାଧିକ ଧ୍ୟାନ ଦେଉଛନ୍ତି । ଇଂଲଣ୍ଡରେ ଆୟୋଜିତ ଭର୍ଚୁଆଲ୍ ସମ୍ମିଳନୀକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଏଭଳି ଏକ ପରିସ୍ଥିତି ଚାଲିଛି, ଯାହାକୁ ମୁକାବିଲା କରିବା ପାଇଁ ବହୁତ କିଛି ଉପାୟ ଅବଲମ୍ବନ କରିବାକୁ ପଡୁଛି । ବିଶାଦଭାବକୁ ଦୂର କରି ଅର୍ଥନୀତିକୁ ଖରାପ ସ୍ଥିତିରୁ ଉଦ୍ଧାର କରି ଭଲ ସ୍ଥିତିକୁ ଆଣିବା ପାଇଁ କେନ୍ଦ୍ର ସରକାର ଲକ୍ଡାଉନ୍ କଟକଣା କୋହଳ କରିଛନ୍ତି । ବର୍ତ୍ତମାନ ଦେଶରେ ଆଉ ଲକ୍ଡାଉନ୍ ନାହିଁ । ଏବେ ଅନ୍ଲକ୍ ପର୍ଯ୍ୟାୟ ଚାଲିଛି । ଏହାର ପ୍ରଥମ ପର୍ଯ୍ୟାୟ ସରିଥିବା ବେଳେ ଅନଲକ୍-୨ ଆରମ୍ଭ ହୋଇଛି । ଏଥିରେ ଲୋକମାନଙ୍କୁ ରେଜାଗାର ପାଇଁ ପ୍ରଚୁର ସୁଯୋଗ ଦିଆଯାଇଛି । ଯାହାଫଳରେ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିବ । ବଞ୍ଚିବା ପାଇଁ ସେମାନେ ଅର୍ଥ ସଂଚୟ କରିପାରିବେ । ଏସବୁ ସହିତ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି । ଲୋକେ ଯେପରି ସ୍ୱାସ୍ଥ୍ୟଗତ ସମସ୍ୟାରେ ନପଡ଼ନ୍ତି, ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସର୍ବନିମ୍ନ ସତର୍କତା ମାସ୍କ୍ ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା ପାଳନ କରିବା ଲାଗି ଦେଶବାସୀଙ୍କୁ ବାରମ୍ବାର ପରାମର୍ଶ ଦିଆଯାଉଛି । ନିୟମିତ ଲୋକମାନେ କଡ଼ାକଡ଼ି ଭାବେ ପାଳନ କଲେ ସେମାନେ ନିରାପଦ ରହିବା ସାଙ୍ଗକୁ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ କରିପାରିବେ । ତା’ସହିତ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିବ ବୋଲି ସେ କହିଛନ୍ତି ।

Comments (0)
Add Comment