ନୂଆଦିଲ୍ଲୀ : ବିଶ୍ୱ କରୋନା ତାଲିକାରେ ଭାରତର ସ୍ଥାନ କ୍ରମଶଃ ଊର୍ଦ୍ଧ୍ୱମୂଖୀ ହେବାରେ ଲାଗିଛି । ଏବେ ବିଶ୍ୱର ସର୍ବାଧିକ ପ୍ରଭାବିତ ଦଶଟି ଦେଶ ମଧ୍ୟରେ ରହିଛି ଭାରତ । ସେହିପରି, ମୁମ୍ବାଇରେ ସଂକ୍ରମଣ ବୃଦ୍ଧି ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶ୍ୱର ସର୍ବାଧିକ ଦୈନିକ ସଂକ୍ରମଣ ବୃଦ୍ଧି ସହର ତାଲିକାରେ ଏହା ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଅଛି ଋଷିଆର ମସ୍କୋ ସହର । ଯଦି ସ୍ଥିତି ଏହିଭଳି ଜାରି ରୁହେ, ତେବେ ଅଳ୍ପ ଦିନ ମଧ୍ୟରେ ମୁମ୍ବାଇ ମସ୍କୋର ସ୍ଥାନ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏପଟେ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୫୩୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୩୮୦ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪୧୬୭କୁ ବୃଦ୍ଧି ପାଇଛି । ସେହିପରି, ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଏପର୍ଯ୍ୟନ୍ତ ୬୦ ହଜାର୪୯୧ ଜଣ ସୁସ୍ଥ ହେଲେଣି । ଦେଶରେ ଆରୋଗ୍ୟ ହାର ଏବେ ୪୧.୬୦ ପ୍ରତିଶତ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଆଜି ଏହି ସୂଚନା ଦେଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୧୪୬ଜଣଙ୍କର ମୃତ୍ୟୁ ଘଟିଛି । ଦୈନିକ ସଂକ୍ରମଣ ସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି । ମହାରାଷ୍ଟ୍ର ସଂକ୍ରମଣ ତାଲିକାରେ ଶୀର୍ଷରେ ରହିଛି । ଏହି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୨, ୬୬୭ ଜଣ ଆକ୍ରାନ୍ତ ହେଲେଣି । ଏଠାରେ ମୃତ୍ୟୁସଂଖ୍ୟା ୧୬୯୫ ଅତିକ୍ରମ କଲାଣି । ଗୁଜୁରାଟରେ ମଧ୍ୟ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ । ସେଠାରେ ୮୮୮ ଜଣ ପ୍ରାଣ ହରାଇଥିବା ବେଳେ ମଧ୍ୟପ୍ରଦେଶରେ ୩୦୦, ପଶ୍ଚିମବଙ୍ଗରେ ୨୭୮, ଦିଲ୍ଲୀରେ ୨୭୬, ରାଜସ୍ଥାନରେ ୧୬୭, ଉତ୍ତରପ୍ରଦେଶରେ ୧୬୫ ଜଣଙ୍କର ମୃତ୍ୟୁ ଘଟିଛି । ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା ୩.୪୫ ଲକ୍ଷ ଟପିଛି । ଆମେରିକା ସଂକ୍ରମଣ ତାଲିକାରେ ଏବେବି ଶୀର୍ଷରେ ରହିଛି । ସେଠାରେ ମୃତ୍ୟୁସଂଖ୍ୟା ଏବେ ଏକ ଲକ୍ଷ ନିକଟବର୍ତ୍ତୀ ହେଲାଣି ।