ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ ଗସ୍ତକୁ ନେଇ ପ୍ରବଳ ଉତ୍ସାହ ରହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯାଉଛନ୍ତି। ଏହି ଐତିହାସିକ ସ୍ୱାଗତ ପାଇଁ ଇସ୍ରାଏଲ ସଂସଦ, ନେସେଟ୍, ଭାରତୀୟ ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହୋଇଛି। ସଂସଦ ବାଚସ୍ପତି ଆମିର ଓହାନା ଏହାର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଏହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ସମ୍ମାନ ପ୍ରକାଶ କରିବାର ଏକ ଉପାୟ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଦୃଶ୍ୟ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ଏବଂ ଗଭୀର ବନ୍ଧୁତାର ପ୍ରତୀକ ପାଲଟିଛି।