ନୂଆଦିଲ୍ଲୀ: ଏଇ ଦୁଇ ଦିନ ଭିତରେ ସଂସଦରୁ ୨୩ ଜଣ ସାଂସଦ ନିଲମ୍ବିତ ହେଲେଣି । କାରଣ ହେଉଛି,ଗୃହରେ ବିଶୃଙ୍ଖଳା ସୃଷ୍ଟି । ଦରଦାମ ବୃଦ୍ଧି, ଜିଏସ୍ଟି ଓ ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି । ଆଜି ବି କିଛି ସାଂସଦ ଆଲୋଚନା ଚାଲିଥିବା ବେଳେ ଗୃହର ମଧ୍ୟ ଭାଗକୁ ଆସି ସ୍ଲୋଗାନ ଦେବା ସହ ହୋହାଲ୍ଲା କରୁଥିଲେ । ଏଥିଯୋଗୁ ରାଜ୍ୟସଭାର ୧୯ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ତ୍ରୁଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବ,ଡକ୍ଟର ଶାନ୍ତନୁ ସେନ୍,ଡୋଲା ସେନ୍,ମୂରଲିଧରନ୍,ଅବିର ବିଶ୍ୱାସ,ମୌସମ ନୁର୍, ଶାନ୍ତା ଛେତ୍ରୀ,ମହମ୍ମଦ ଅବଦୁଲ୍ଲା,କାନିମୋଝି,ଏଲ୍ ଯାଦବ,ଭି.ଶିବଦସନ୍ ସମେତ ଅନ୍ୟାନ୍ୟ ସାଂସଦ ଅଛନ୍ତି । ଏମାନଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବିତ କରିଛନ୍ତି ଉପ-ବାଚସ୍ପତି । ଲୋକସଭାରେ ହଙ୍ଗାମା କରିବାକୁ ନେଇ ସମଗ୍ର ଅଧିବେଶନ ପାଇଁ ବାଚସ୍ପତି ଓମ ବିର୍ଲା କଂଗ୍ରେସର ଚାରି ଜଣ ସଦସ୍ୟଙ୍କୁ ନିଲମ୍ବନ କରିବାର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଂସଦର ପ୍ରଶ୍ନୋତ୍ତର କାର୍ଯ୍ୟରେ ବାଧା ସୃଷ୍ଟିି କରିଥିବାରୁ ଧାରା ୨୫୬ ଅଧିନରେ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ଲୋକସଭାରେ ହୋହଲ୍ଲା କରିବା ଓ ସଂସଦ କାର୍ଯ୍ୟରେ ବାଧା ପହଞ୍ଚାଇବା ଅଭିଯୋଗରେ କଂଗ୍ରେସ ସାଂସଦ ଜ୍ୟୋତିମଣି, ମାଣିକମ୍ ଟାଗୋର, ଟିଏନ୍ ପ୍ରଥାପନ୍ ଏବଂ ରାମ୍ୟା ହରିଦାସଙ୍କୁ ସୋମବାର ନିଲମ୍ବିତ କରାଯାଇଥିଲା । ବାଚସ୍ପତିଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ବିରୋଧୀ ଦଳମାନେ ନିନ୍ଦା କରିଛନ୍ତି ।