ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ସେନାକୁ ମିଳିଲା ସମ୍ପୂର୍ଣ୍ଣ ସ୍ୱାଧୀନତା

ନୂଆଦିଲ୍ଲୀ : ସୀମାରେ ଚୀନ୍ର ଉତ୍ପାତ୍ତ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଆଖି ଆଗରେ ରଖି ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରାଯାଇଛି । କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଏହି ବୈଠକରେ ତିନିବାହିନୀର ମୁଖ୍ୟ ଓ ସିଡିଏସ୍ ବିପିନ୍ ରାୱତଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ । ସୀମାରେ ସ୍ଥିତି ଅନୁଯାୟୀ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଥିପାଇଁ ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଇଛି । ସୀମାରେ ଯଦି ଚୀନ୍ ପୁଣି ଭାରତକୁ ନାଲିଆଖି ଦେଖାଏ, ତାହାର କଡ଼ା ଜବାବ ଦେବାଲାଗି ସେନାକୁ କ୍ଷମତା ଓ ସ୍ୱାଧୀନତା ଦିଆଯାଇଛି । ଏହି ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ସୀମାର ତାଜା ସ୍ଥିତି ଅନୁଧ୍ୟାନ କରିଥିଲେ । ଏଲ୍ଏସିରେ ସମ୍ଭାବ୍ୟ ଅଘଟଣର ମୁକାବିଲା ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଥିଲେ । ଭାରତ ଆଜି ପୁନର୍ବାର ଏକଥା ଜଣାଇ ଦେଇଛି ଯେ, ଭାରତ ସବୁବେଳେ ଶାନ୍ତି ଓ ସ୍ଥିରତାକୁ ସମର୍ଥନ କରେ । ଉତ୍ତେଜନା ସୃଷ୍ଟି କରିବା ଭାରତର ଉଦ୍ଦେଶ୍ୟ ନୁହେଁ; କିନ୍ତୁ ଯଦି କୌଣସି ଶକ୍ତି ଭାରତରେ ଶାନ୍ତି ଭଙ୍ଗ କରନ୍ତି, କିମ୍ବା ଭାରତକୁ ନାଲି ଆଖି ଦେଖାଇଲା ଭଳି ପ୍ରଦର୍ଶନ କରନ୍ତି, ସେ କ୍ଷେତ୍ରରେ ସେମାନଙ୍କୁ ଉଚିତ୍ ଜବାବ ଦିଆଯିବ । ସ୍ଥିତିକୁ ଦେଖି ଯାହା ଆବଶ୍ୟକ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ତିନି ବାହିନୀକୁ କ୍ଷମତା ଦିଆଯାଇଛି । ଏ ମର୍ମରେ ବୈଠକରେ ଆଜି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଏହା ଘୋଷଣା କରିସାରିଛନ୍ତି ଯେ, ଭାରତର ଅଖଣ୍ଡତା ସହିତ କୌଣସି ପରିସ୍ଥିତିରେ ବି ସାଲିସ୍ କରାଯିବ ନାହିଁ । ପୁନର୍ବାର ଯଦି କୌଣସି ଶକ୍ତି ଅଖଣ୍ଡତା ପ୍ରତି ଆଞ୍ଚ୍ ଆଣିବା ଲାଗି ଦୁଃସାହାସ କରେ, ତେବେ ତାକୁ ମୁହଁତୋଡ ଜବାବ ଦିଆଯିବ । ଏଥିପାଇଁ ଆମର ତିନିବାହିନୀ ପ୍ରସ୍ତୁତ ବୋଲି ସେ କହିଥିଲେ । ଆଜି ସେହି ଆଧାରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ରାଜନାଥଙ୍କ ସରକାରୀ ବାସଭବନରେ ଏହି ବୈଠକ ବସିଥିଲା । ନିକଟରେ ଦୁଇ ଦେଶ ମଧ୍ୟରେ ମେଜର ଜେନେରାଲ୍ସ୍ତରୀୟ ବୈଠକ ଦୁଇ ଦୁଇଥର ଅନୁଷ୍ଠିତ ହୋଇାଇଛି । କିନ୍ତୁ ସେଥିରୁ କୌଣସି ସୁଫଳ ମିଳିନାର୍ହି । ଆସନ୍ତା ସପ୍ତାହରେ ଦୁଇ ଦେଶ ମଧ୍ୟରେ ଆହୁରି ଅଧିକ ଉଚ୍ଚସ୍ତରୀୟ ବୈଠକ ହେବାର ସମ୍ଭାବନା ରହିଛି । ତେବେ ଚୀନ୍ ଗୋଟିଏ ପଟେ ଶାନ୍ତି ଓ ସ୍ଥିରତା କଥା କହୁଥିବା ବେଳେ ଅନ୍ୟପଟେ ସୀମାରେ ବିଶ୍ୱାସଘାତକତା କରୁଥିବାରୁ ଏହାକୁ ଆଉ ବିଶ୍ୱାସ ନକରିବା ଲାଗି ପ୍ରତିରକ୍ଷା ବିଶେଷଜ୍ଞମାନେ ଦୃଢ଼ ମତ ଦେଇଛନ୍ତି ।

Comments (0)
Add Comment