ସାଙ୍ଘାତିକ ହେଉଛି କରୋନା ସ୍ଥିତି

ନୂଆଦିଲ୍ଲୀ: କରୋନା ସ୍ଥିତି ଭାରତରେ ଥମିବା ପରିବର୍ତ୍ତେ ହୁହୁ ହୋଇ ବଢ଼ିବାରେ ଲାଗିଛି । ଗତକାଲି କରୋନା ଉତ୍ପତ୍ତିସ୍ଥଳ ଚୀନ୍‌କୁ ଟପିଥିବା ବେଳେ ଆଜି ଏହା ସ୍ଥିତି ଆହୁରି ସାଙ୍ଘାତିକ ହୋଇ ବଢ଼ିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ପାର୍ ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୮ ଶହ ଟପିଛି । ଭାରତରେ ଗତ ୨୪ ଘଣ୍ଟାରେ ୪୯୮୭ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବା ବେଳେ ୧୨୦ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୯୦ ହଜାର ୯୨୭ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଭାରତରେ ୨୮୭୨ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୬,୨୩୫ ଜଣ ସୁସ୍ଥ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୪,୧୦୯ ସକ୍ରିୟ ଅଛନ୍ତି । ଏବେ ୫୩ ହଜାର ୯୪୬ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏକ ସପ୍ତାହ ମଧ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି । ସବୁ ରାଜ୍ୟ ଅପେକ୍ଷା ମହାରାଷ୍ଟ୍ରରେ କରୋନା ସମସ୍ତଙ୍କୁ ବେକାବୁ କରିଦେଇଛି । ୨୪ ଘଣ୍ଟାରେ ୧୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୭୦୬ ଛୁଇଁଛି । ଦିଲ୍ଲୀ ଓ ଗୁଜୁରାଟରେ ମଧ୍ୟ ସ୍ଥିତି ଭୟଙ୍ଗର ହେବାରେ ଲାଗିଛି । କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ସଙ୍କଟରେ ପଡ଼ିଛି । ବିଶ୍ୱର ପ୍ରାୟ ୨୧୩ରୁ ଅଧିକ ଦେଶକୁ ବ୍ୟାପିଥିବା ଏହି ମହାମାରୀ କରୋନା ଭୟଙ୍କର ରୂପ ନେଉଛି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।

Comments (0)
Add Comment