ସୀମା ସୁରକ୍ଷାରେ ସାଲିସ୍ର ପ୍ରଶ୍ନ ଉଠୁନି :ମୋଦି

ନୂଆଦିଲ୍ଲୀ : କୌଣସି ପରିସ୍ଥିତିରେ ବି ଭାରତ ସୀମା ସୁରକ୍ଷା କ୍ଷେତ୍ରରେ କିମ୍ବା ଅଖଣ୍ଡତା ସହିତ କେବେବି କୌଣସି ପରିସ୍ଥିତିରେ ସାଲିସ୍ କରିବ ନାହିଁ । ଭାରତକୁ ଯେଉଁମାନେ ନାଲି ଆଖି ଦେଖାଇଛନ୍ତି ଆମ ଯବାନ୍ମାନେ ସେମାନଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଲଦାଖରେ ମଧ୍ୟ ଯବାନ୍ମାନେ ଉତ୍ପାତ୍ତ କରୁଥିବା ଲୋକଙ୍କୁ ଠିକଣା ଜବାବ ଦେଇଛନ୍ତି । ଆଜି ନିଜର ନିୟମିତ କାର୍ଯ୍ୟକ୍ରମ “ମନ୍କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ମୋଦି କହିଛନ୍ତି, ସୀମା ସୁରକ୍ଷାରେ ଆଦୌ ସାଲିସ୍ କରାଯିବନି । ଲଦାଖରେ ଭାରତର ଭୂମି ଉପରେ ଆଖି ଉଠାଇ ଦେଖିବା ଲୋକକୁ ଆମ ଯବାନ ଉଚିତ୍ ଜବାବ ଦେଇଛନ୍ତି । ଭାରତ ବନ୍ଧୁ ବଜାୟ ରଖିବା ଜାଣେ, ଆଉ ଆଖିରେ ଆଖି ମିଶାଇ ଦେଖିବା ଓ ଉଚିତ୍ ଜବାବ୍ ଦେବା ମଧ୍ୟ ଜାଣିଛି । ଲଦାଖରେ ଆମ ଯବାନ ଶହିଦ ହୋଇଛନ୍ତି । ସେମାନଙ୍କ ବୀରତ୍ୱକୁ ସମଗ୍ର ଜାତି ପ୍ରଣାମ କରୁଛି, ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଶହିଦଙ୍କ ପରିବାର ସମେତ ପ୍ରତ୍ୟେକ ଭାରତୀୟ ଏମାନଙ୍କୁ ହରାଇ କଷ୍ଟ ଅନୁଭବ କରୁଛି ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, ଯେତେବେଳେ ଗୋଟିଏ ପଟେ ଦେଶରେ ବଡ଼ ବଡ଼ ସଙ୍କଟ ଆସିଛି, ଅନ୍ୟପଟେ ସବୁ ବାଧାବିଘ୍ନକୁ ଦୂରେଇ ଅନେକ ସୃଜନ ମଧ୍ୟ ସୃଷ୍ଟି ହୋଇଛି । ନୂତନ ସାହିତ୍ୟ, ଅନୁସନ୍ଧାନ, ସିଦ୍ଧାନ୍ତ ସୃଷ୍ଟି ହୋଇଛି । ଚଳିତ ବର୍ଷ ଦେଶ ନୂଆ ଲକ୍ଷ୍ୟ ହାସଲ କରିବ । ନୂଆ ଉଡ଼ାଣ ଭରିବ । ନୂତନ ଶୀର୍ଷକୁ ଛୁଇଁବ । ୧୩୦ କୋଟି ଦେଶବାସୀଙ୍କ ଶକ୍ତି ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଆମ ଦେଶର ପରମ୍ପରା ମହାନ ବୋଲି ମୋଦି କହିଛନ୍ତି ।
ବର୍ଷରେ ଗୋଟିଏ ଚ୍ୟାଲେଞ୍ଜ ଆସୁ ବା ୫୦ଟି । ନମ୍ୱର ଅଧିକ ହେଉ ବା କମ୍ । ସେହି ବର୍ଷ ଖରାପ ହୋଇଯାଏ ନାହିଁ । ଭାରତର ଇତିବାସ କହୁଛି, ବିପର୍ଯ୍ୟୟ ଓ ଆହ୍ୱାନକୁ ଜିତିବା ଏବଂ ଆଉରି ଚମକିବା । ଶହ ଶହ ବର୍ଷ ଯାଏ ଭିନ୍ନ ଭିନ୍ନ ଆକ୍ରମଣକାରୀ ଭାରତକୁ ଆକ୍ରମଣ କରିଛନ୍ତି । ଲୋକଙ୍କୁ ଲାଗୁଥିଲା ଭାରତର ସଂରଚନା ହିଁ ନଷ୍ଟ ହୋଇଯିବ । କିନ୍ତୁ ଏହି ସଙ୍କଟ ଯୋଗୁ ଭାରତ ଆହୁରି ଭବ୍ୟ ରୂପ ନେଇ ଛିଡ଼ା ହେଲା ବୋଲି ମୋଦି କହିଛନ୍ତି ।
ମୋଦି ଆହୁରି କହିଛନ୍ତି, ଏ ସବୁ ପରିସ୍ଥିତିରେ ଆମର କିଛି ପଡୋଶୀ ଯାହା କରୁଛନ୍ତି ଦେଶ ସେହି ପରିସ୍ଥିତି ସହ ମଧ୍ୟ ଲଢ଼ୁଛି । ପ୍ରକୃତରେ ଏକାସଙ୍ଗରେ ଏତେସବୁ ବିପତ୍ତି, ଏହି ସ୍ତରର ବିପତ୍ତି କ୍ୱଚିତ୍ ଦେଖିବାକୁ ଓ ଶୁଣିବାକୁ ମିଳିଥାଏ । ଏବେ କିଛି ଦିନ ତଳେ ପୂର୍ବ ଭାରତରେ ବାତ୍ୟା ଅମ୍ଫାନ ଆସି ତାଣ୍ଡବ କଲେ । ପଶ୍ଚିମ ପଟେ ଘୂର୍ଣ୍ଣଝଡ଼ ନିସର୍ଗ ଆସି ତାଣ୍ଡବ କଲା । ଅନେକ ରାଜ୍ୟର କୃଷକ ଭାଇମାନେ ପଙ୍ଗପାଳ ଦଳ ପାଇଁ ଚିନ୍ତାରେ ଅଛନ୍ତି । ଅନ୍ୟପଟେ ଦେଶର ଅଧିକାଂଶ ଅଞ୍ଚଳରେ ଛୋଟ-ଛୋଟ ଭୂମିକମ୍ପ ମଧ୍ୟ ଲାଗି ରହିଛି ।

Comments (0)
Add Comment