ଭିନ୍ନ ମୋଡ଼ ନେଲା ରାଜସ୍ଥାନ ରାଜନୀତି, ବିଧାନସଭା ଅଧିବେଶନ ଡାକିଲେ ରାଜ୍ୟପାଳ

ଜୟପୁର : ରାଜସ୍ଥାନର ରାଜନୈତିକ ସ୍ଥିତି ଆଜି ନୂଆ ମୋଡ଼ ନେଇଛି । ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ବିଧାନସଭା ଅଧିବେଶନ ଡାକିଛନ୍ତି; କିନ୍ତୁ ଏଥିପାଇଁ କେତେକ ସର୍ତ୍ତ ରଖିଛନ୍ତି । ବିଧାନସଭା ଅଧିବେଶନ ଡାକିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତଥା ରାଜ୍ୟ କଂଗ୍ରେସ ଗତ କିଛିଦିନ ହେଲା ଦୃଢ଼ ଦାବି କରିଆସୁଛି । କିନ୍ତୁ କେତେକ କାରଣ ଦର୍ଶାଇ ରାଜ୍ୟପାଳ ତହାକୁ ଅଗ୍ରହ୍ୟ କରିଥିଲେ । ଆଜି କିନ୍ତୁ ସମଗ୍ର ଘଟଣା ନୂଆ ମୋଡ଼ ନେଇଛି । ଫଳରେ କଂଗ୍ରେସ ତା’ର ଧାରଣା କାର୍ଯ୍ୟକ୍ରମକୁ ବାତିଲ୍ କରିଥିବା ଜଣାପଡ଼ିଛି । ଆଜି ମୁଖ୍ୟମନ୍ତ୍ରୀ ଗେହଲଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟପାଳଙ୍କ ଭୂମିକା ଓ ବ୍ୟବହାର ସଂପର୍କରେ ସବୁ କଥା ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଆଲୋଚନା ହୋଇଥିଲା । ଏହି ଆଲୋଚନାର କିଛି ମିନିଟ୍ ପରେ ରାଜ୍ୟପାଳ ବିଧାନସଭା ଅଧିବେଶନ ଡାକିଥିଲେ । ଏ ଦୃଷ୍ଟିରୁ ଏହି ନୂଆ ମୋଡ଼ ରାଜନୀତିକୁ ଆହୁରି ଅଧିକ ସରଗରମ କରିଛି । ଆଜି ବିଧାନସଭା ଡାକିବା ନେଇ ରାଜଭବନରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ସେଥିରେ ରାଜ୍ୟପାଳ କହିଛନ୍ତି ଯେ, ବିଧାନସଭା ଡାକିବା ଲାଗି ସେ ଚାହୁଁନାହାନ୍ତି କିମ୍ବା ବିଳମ୍ବିତ କରାଉଛନ୍ତି ବୋଲି ହେଉଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ଅଭିଯୋଗ କରିଥିଲେ ଯେ, ରାଜ୍ୟପାଳ ଚାପରେ ପଡ଼ି ବିଧାନସଭା ଆହ୍ୱାନ କରୁନାହାନ୍ତି । ରାଜ୍ୟପାଳ ବିଧାନସଭା ଅଧିବେଶନ ପାଇଁ ଅନୁମତି ନଦେବାରୁ କଂଗ୍ରେସ ତା’ର ପ୍ରତିବାଦରେ ଦୁଇ ଦିନ ତଳେ ରାଜଭବନ ପରିସରରେ ଧାରଣା ଦେଇଥିଲା । ସେହିଦିନ ମୁଖ୍ୟମନ୍ତ୍ରୀ ମଧ୍ୟ ଏକଥା କହିଥିଲେ ଯେ, ଦରକାର ପଡ଼ିଲେ ସେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବେ ।

Comments (0)
Add Comment