ନୂଆଦିଲ୍ଲୀ : ସମଗ୍ର ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଗତ କିଛିଦିନ ଧରି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ସହ ତାତି ଅଧିକ ଅସହ୍ୟ ହେଉଛି । ଯାହାଫଳରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି । ଏପରିକି ସକାଳ ନଅଟା, ଦଶଟା ବେଳକୁ ଖରାର ତୀବ୍ରତା ଅଧିକ ରହୁଛି । ଦିନଯାକ ରାସ୍ତା ଶୁନ୍ଶାନ୍ ଲକ୍ଷ୍ୟ କରାଯାଉଛି । ପାରଦ ଏବେ ୪୬ରେ ପହଞ୍ଚିଲାଣି । ଏହାକୁ ଆଖି ଆଗରେ ରଖି ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଓ ହରିୟାଣାରେ ଗ୍ରୀଷ୍ମ ପ୍ରବାହ ତୀବ୍ର ହେଉଛି । ଆଗାମୀ ଚାରିଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ୨୯ ତାରିଖରୁ ଜଳବାୟୁରେ ପରିବର୍ତ୍ତନ ଦେଖାଦେବାର ସମ୍ଭାବନା ରହିଛି । ଚଣ୍ଡିଗଡ଼, ମଧ୍ୟପ୍ରଦେଶ, ବିଦର୍ଭ ଓ ତେଲେଙ୍ଗାନାରେ ଆଗକୁ ତାପମାତ୍ରା ୪୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଗତବର୍ଷ ୨୩ଟି ରାଜ୍ୟରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ପାଖାପାଖି ପହଞ୍ଚି ଯାଇଥିଲା । ଏବର୍ଷ ମଧ୍ୟ ପାରଦ ପୂର୍ବ ରେକର୍ଡ଼କୁ ଭାଙ୍ଗିପାରେ ବୋଲି କୁହାଯାଇଛି । ଗ୍ରୀଷ୍ମ ପ୍ରବାହ କାରଣରୁ ରାଜ୍ୟଗୁଡ଼ିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷ କରି ଦ୍ୱିପ୍ରହର ସମୟରେ ଜରୁରୀ କାମ ନଥିଲେ ବାହାରକୁ ନଯିବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଏବେ କରୋନା ସମୟରେ ଲକ୍ଡାଉନ୍ କଟକଣା ଯୋଗୁଁ ରାସ୍ତାରେ ଚଳପ୍ରଚଳ କମିଥିବା ବେଳେ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରୁଛି ।