ନୂଆଦିଲ୍ଲୀ : ପିତାଙ୍କ ସମ୍ପତ୍ତି ଉପରେ ଝିଅର ଅଧିକାର ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ପୁଅମାନଙ୍କ ଭଳି ଝିଅକୁ ମଧ୍ୟ ପିତାଙ୍କ ସମ୍ପତ୍ତିରୁ ସମାନ ଭାଗ ମିଳିବ । କାରଣ ଆଇନ୍ ଅନୁଯାୟୀ ପିତାଙ୍କ ସମ୍ପତ୍ତିରେ ଝିଅର ହକ୍ ରହିଛି ଓ ଆଗକୁ ମଧ୍ୟ ରହିବ । ଏକ ମାମଲାର ଶୁଣାଣି କରି କୋର୍ଟ ଏଭଳି ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ହିନ୍ଦୁ ଉତ୍ତରାଧିକାରୀ (ସଂଶୋଧନ) ଆଇନ୍-୨୦୦୫ ଲାଗୁ ହେବା ପୂର୍ବରୁ ମଧ୍ୟ ଯଦି ଦାବିଦାରଙ୍କର ମୃତ୍ୟୁ ଘଟିଥାଏ, ତଥାପି ସେ ପିତାଙ୍କ ସମ୍ପତ୍ତିରୁ ସମାନ ଭାଗ ପାଇବାକୁ ହକ୍ଦାର । ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏଭଳି ରାୟ ଶୁଣାଇଛନ୍ତି ।
୨୦୦୫ର ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଆଇନରେ ଏହି ବ୍ୟବସ୍ଥା ଥିଲେ ମଧ୍ୟ ତାହା ପିଛିଲା ଭାବେ ଲାଗୁ ହେବ କି ନା, ସେ ସମ୍ପର୍କରେ ସ୍ଥିତି ସ୍ପଷ୍ଟ ନଥିଲା । ଏହାକୁ ଆଜି ସୁପ୍ରିମକୋର୍ଟ ଦୂର କରି କହିଛନ୍ତି ଯେ ଏହା ୨୦୦୫ ପୂର୍ବରୁ ମଧ୍ୟ ମଧ୍ୟ ଲାଗୁ ହେବ । ଅର୍ଥାତ ୨୦୦୫ ପୂର୍ବରୁ ଯଦି ଦାବିଦାରଙ୍କ ମୃତ୍ୟୁ ହୋଇଛି, ସେ ମଧ୍ୟ ସମାନ ଅଧିକାର ପାଇବାକୁ ହକଦାର ।
ଏହି ରାୟ ଶୁଣାଇ ଖଣ୍ଡପୀଠ କହିଛନ୍ତି ଯେ ସାରା ଜୀବନ ପାଇଁ ପିତାଙ୍କ ଆଗରେ ପୁଅ ଓ ଝିଅ ସମାନ ସ୍ନେହ ପାଇଥାନ୍ତି । ସେହିପରି ସେମାନେ ସଂପତ୍ତିର ମଧ୍ୟ ସମାନ ଭାଗ ପାଇବା ଉଚିତ । ପିତା ମୃତ୍ୟୁବରଣ କରିଥିଲେ ମଧ୍ୟ ଝିଅ ନିଜ ଅଧିକାର ପାଇବ । ଦେଶରେ ୨୦୦୫, ସେପ୍ଟେମ୍ବର ୯ରେ ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଆଇନ ଲାଗୁ ହୋଇଥିଲା ।