ଖୁବଶୀଘ୍ର ଚାଲିବ ଦେଶର ପ୍ରଥମ ଡିଜିଟାଲ ବସ୍‌

ମୁମ୍ବାଇ: ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ । ଅନେକ କାର୍ଯ୍ୟ ଡିଜିଟାଲ ମୋଡ୍‌ରେ ହେଉଛି । ଟଙ୍କା ଦେଣନେଣଠୁ ଆରମ୍ଭ କରି କାର୍ଯ୍ୟ ପରିଚାଳନା ସବୁକିଛି ଡିଜିଟାଲ । ଏହିକ୍ରମରେ ଆଉ ଏକ କାର୍ଯ୍ୟ ବା ସେବା ଏହି ଡିଜିଟାଲରେ ଯୋଡ଼ିହେବାକୁ ଯାଉଛି । ତାହା ହେଉଛି ଡିଜିଟାଲ ବସ ସେବା । ମୁମ୍ବାଇରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ବସ୍‌ ସେବା । ଏହି ଡିଜିଟାଲ ବସରେ ଯାତ୍ରୀଙ୍କ ଲାଗି ରହିବ ଅନେକ ସୁବିଧା ଯାହା ଅନ୍ୟ ସାଧାରଣ ବସରେ ଉପଲବ୍ଧ ନାହିଁ । ଦେଶରେ ପ୍ରଥମ ଥର ଲାଗି ଏହି ବସ ସେବା ମୁମ୍ବାଇରେ ଆରମ୍ଭ ହେବ । ଏହାଫଳରେ ଲକ୍ଷ ଲକ୍ଷ ମୁମ୍ବାଇବାସୀ ଉପକୃତ ହେବେ । ପୂର୍ବରୁ ସାଧାରଣ ଯାତ୍ରୀଙ୍କର ଟିକେଟ୍‌ କାଟିବା ଲାଗି ଯେଉଁ ସବୁ ଅସୁବିଧା ଥିଲା, ଏବେ ତାହା ସବୁ ଦୂର ହେବାକୁ ଯାଉଛି । ବସରେ ଭିଡରେ ଟିକେଟ କାଟିବା ବହୁ ସମୟରେ ଯାତ୍ରୀଙ୍କ ପାଇଁ ଅସୁବିଧା ହୋଇଥାଏ । ଭିଡ଼ ସମୟରେ ବସ କଣ୍ଡକ୍ଟର ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ହେଲେ ଏହି ଡିଜିଟାଲ ବସରେ ସେସବୁ ଅସୁବିଧା ହେବ ନାହିଁ । ଏହି ବସରେ ଅତ୍ୟାଧୁନିକ ଟିକେଟିଂ ମେସିନ ଖଞ୍ଜାଯିବ ଯେଉଁଥିରେ ଏଥିଲାଗି ଉଦ୍ଦିଷ୍ଟ ସ୍ମାର୍ଟକାର୍ଡକୁ ଛୁଆଁଇ ଦେଲେ ସେହି କାର୍ଡରୁ ଟିକେଟର ମୂଲ୍ୟ କଟିବ । ପ୍ରତି ବସର ଆଗ ଗେଟ୍‌ ଓ ପଛ ଗେଟରେ ଏହି ମେସିନ୍‌ ଲାଗିବ । ସୋମବାର ଡିଜିଟାଲ ବସକୁ ପରୀକ୍ଷାମୂଳକ ଭାବେ ଚଳାଯାଇଥିଲା । ସବୁଠୁ ବଡ଼କଥା ଏଭଳି ଅତ୍ୟାଧୁନିକ ବସ ସେବା ପୂର୍ବରୁ କେବଳ ସିଙ୍ଗାପୁରରେ ରହିଛି । ସିଙ୍ଗାପୁରରେ ସ୍ମାର୍ଟକାର୍ଡ ମାଧ୍ୟମରେ ବସ ସେବା ସହ ମେଟ୍ରୋରେଲ୍‌ ଟିକଟ, ହୋଟେଲ ବିଲ ମଧ୍ୟ ପୈଠ କରାଯାଇଥାଏ ।

Comments (0)
Add Comment