ରାନିଲ ବିକ୍ରମସିଙ୍ଘେ ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଦେଶ ପାଇଛି ନୂଆ ରାଷ୍ଟ୍ରପତି । ଆଜି ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ରାନିଲ ବିକ୍ରମସିଙ୍ଘେ ନିର୍ବାଚିତ ହୋଇଛନ୍ତି । ୧୩୪ଟି ଭୋଟ ପାଇ ପ୍ରତିପକ୍ଷକୁ ପରାସ୍ତ କରି ରାନିଲ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଛନ୍ତି । ଶ୍ରୀଳଙ୍କା ସଂସଦଦରେ ୨୨୫ ସଦସ୍ୟ ମଧ୍ୟରୁ ୨୨୩ ଜଣ ଭୋଟ୍‌ ଦେଇଥିବା ବେଳେ ୨ ଜଣ ଅନୁପସ୍ଥିତ ଥିଲେ । ୪ଟି ଭୋଟ ନାକଚ ହୋଇଥିବା ବେଳେ ମୋଟ ୨୧୯ଟି ଭୋଟ୍‌ ବୈଧ ହୋଇଥିଲା । ଆଜିର ମତଦାନରେ ରାନିଲ ବହୁମତ ହାସଲ କରିଛନ୍ତି । ରାଷ୍ଟପତି ଭାବେ ବିଜୟପରେ ଶ୍ରୀଲଙ୍କା ସଂସଦରେ ଅଭିଭାଷଣ ରଖିଛନ୍ତି ରାନିଲ । ଏହି ଅବସରରେ ସେ ସଂସଦ ବାହାରେ ଶପଥ ନେବାକୁ ସଦନର ବାଚସ୍ପତିଙ୍କୁ ନିବେଦନ କରିଛନ୍ତି । ଆସନ୍ତାକାଲି ଶ୍ରୀଲଙ୍କା ଆର୍ଥିକ ସଙ୍କଟର ମୁକାବିଲା ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ନୂଆ ରାଷ୍ଟ୍ରପତି । ପୂର୍ବରୁ ୬ ଥର ଦେଶର ପ୍ରଧାନମମନ୍ତ୍ରୀ ହୋଇଛନ୍ତି ରାନିଲ ବିକ୍ରମସିଙ୍ଘେ । ରାଷ୍ଟପତି ରେସ୍‌ରେ ଅନ୍ୟ ଦୁଇ ଜଣ ୬୩ ବର୍ଷୀୟ ସିଂହଳୀ ବୁଦ୍ଧିଷ୍ଟ ଦୁଲାସ ଆଲାପେରୁମ୍ମା ଏବଂ ୫୩ ବର୍ଷୀୟ ଅନୁରା କୁମାର ଦିସାନାୟକେ ଅଶାୟୀ ଥିଲେ । ଶ୍ରୀଲଙ୍କାର ପ୍ରମୁଖ ବିରୋଧୀ ଦଳର ନେତା ସାଜିଥ୍‌ ପ୍ରେମଦାସା ରାଷ୍ଟ୍ରପତି ପଦ ରେସରୁ ନିଜକୁ ବାହାରେ ରଖିଥିବା ବେଳେ ଦୁଲାସ ଆଲାପେରୁମ୍ମାଙ୍କୁ ସମର୍ଥନ ଘୋଷଣା କରିଥିଲେ । ନୂଆ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୪ ଯାଏ ରହିବ ।

Comments (0)
Add Comment