ନୂଆଦିଲ୍ଲୀ : ଭାରତର ବାରମ୍ବାର ପରାମର୍ଶ ଓ ତାଗିଦ୍ ସତ୍ତ୍ୱେ ଚୀନ୍ର ଆଚରଣରେ ସୁଧାର ଆସୁନି । ଏହାର ସୈନ୍ୟମାନଙ୍କ ଉତ୍ପାତ୍ତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ସୀମାନ୍ତରେ ଉତ୍ତେଜନା ବଢ଼ୁଛି । ନିକଟରେ ସିକିମ୍ ସୀମାନ୍ତରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଏବେ ଲଦାଖ୍ରେ ଆକାଶମାର୍ଗରେ ଚୀନ୍ ତା\’ର ଯୁଦ୍ଧ ହେଲିକପ୍ଟର ଉଡ଼ାଇଛି । ଆକାଶମାର୍ଗରେ ଚୀନ୍ର ସାମରିକ ହେଲିକପ୍ଟର ନଜରକୁ ଆସିବା ପରେ ସମ୍ଭାବ୍ୟ ଅଘଟଣକୁ ରୋକିବା ପାଇଁ ଭାରତୀୟ ବାୟୁସେନା ନିଜର ଲଢ଼ୁଆ ବିମାନକୁ ସେଠାକୁ ପଠାଇଥିଲା । ଚୀନ୍ର ହେଲିକପ୍ଟରଗୁଡ଼ିକ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍ଓସି) ନିକଟରେ ପଇଁତରା ମାରୁଥିବାରୁ ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି । ତେବେ ଚୀନ୍ର ହେଲିକପ୍ଟର ଆକାଶମାର୍ଗରେ ଭାରତର ସୀମା ଅତିକ୍ରମ କରିନଥିଲା ବୋଲି ଭାରତୀୟ ବାୟୁସେନା ମଙ୍ଗଳବାର ସୂଚନା ଦେଇଛି । ଚୀନ୍ର ହେଲିକପ୍ଟର ଚୀନ୍ ସୀମାରେ ଓ ଭାରତର ଯୁଦ୍ଧ ବିମାନ ଭାରତ ସୀମା ଭିତରେ ରହି ପରସ୍ପରର ଗତିବିଧି ଉପରେ ନଜର ରଖୁଥିଲେ । ଏହି ସମୟରେ ଉତ୍ତେଜନା ଯଥେଷ୍ଟ ବଢ଼ିଯାଇଥିଲା । ବାରମ୍ବାର ଚୀନ୍ କାହିଁକି ଏଭଳି ଉସକେଇଲା ଭଳି କାର୍ଯ୍ୟ କରୁଛି, ସେ ନେଇ ଅନୁଧ୍ୟାନ ହେବା ଉଚିତ୍ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି । ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ପାଇଁ ପ୍ରାୟ ସବୁ ଦେଶ ଚୀନ୍କୁ ଦାୟୀ କରୁଛନ୍ତି । ଭାଇରସ ସଂକ୍ରମଣ ପାଇଁ ଚୀନ୍କୁ ସେମାନେ ଟାର୍ଗେଟ୍ କରିଥିବାରୁ ଏହି ପରିସ୍ଥିତି ଉପରୁ ନଜର ହଟାଇବା ଲାଗି ଚୀନ୍ ଏଭଳି ପନ୍ଥାର ଆଶ୍ରୟ ନେଇଥାଇପାରେ ବୋଲି କୁହାଯାଉଛି ।