ଆସାମରେ ବଡ଼ ଧରଣର ଭୂସ୍ଖଳନ: ୨୦ ମୃତ, ଅନେକ ଆହତ

ଦିସପୁର : ଆସାମରେ ଆଜି ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି । ରାଜ୍ୟର ଦିସପୁର ଜିଲ୍ଲାରେ ହୋଇଥିବା ଏହି ଅଘଟଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଆହୁରି ଅସଂଖ୍ୟ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତି ଗୁରୁତର । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକମାନଙ୍କୁ ହସ୍ପିଟାଲ ନେଇଛି । ପ୍ରବଳ ବର୍ଷା ଯୋଗୁଁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଗତ କିଛିଦିନ ହେଲା ସଂପୃକ୍ତ ଅଞ୍ଚଳରେ ମୂଷଳ ଧାରାରେ ଲଗାତାର ବର୍ଷା ହୋଇଥିଲା । ମାଟି ଦବି ରହିଥିବା ବେଳେ ଆଜି ହଠାତ୍ ସ୍ଖଳନ ହୋଇଥିଲା । ପ୍ରାଣ ହରାଇଥିବା ଲୋକମାନେ ତିନୋଟି ଜିଲ୍ଲାର ବୋଲି ଜଣାପଡ଼ିଛି । ମାଟିତଳେ ଆହୁରି ବହୁ ଲୋକ ପୋତି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ । ମୃତକଙ୍କ ମଧ୍ୟରେ ସାତ ଜଣ କଚ୍ଛର ଜିଲ୍ଲା, ଆଉ ସାତ ଜଣ ହଇଲାକାନ୍ଦି ଜିଲ୍ଲା ଏବଂ ବାକି ଛଅ ଜଣ କରିମଗଞ୍ଜ ଜିଲ୍ଲାର ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ଏବେବି ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗି ରହିଛି । ପ୍ରାୟ ୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି । ବହୁ କଚ୍ଚା ଘର ଏବଂ ଦୁର୍ବଳ ପୋଲଗୁଡ଼ିକ ଭାଙ୍ଗିଯାଇଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ହଠାତ୍ ଭୂସ୍ଖଳନ ହୋଇଥିଲା । ବର୍ତ୍ତମାନ ପ୍ରଭାବିତ ଜିଲ୍ଲାଗୁଡ଼ିକର ଲୋକମାନଙ୍କୁ ବିଭିନ୍ନ ରିଲିଫ୍ ଶିବିରରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି । ରାଜ୍ୟରେ ବନ୍ୟାରେ ଛଅ ଜଣ ପ୍ରାଣ ହରାଇଛନ୍ତି । । ବନ୍ୟାରେ ୭୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି ।

Comments (0)
Add Comment