କୋଲକତା : ସାମୁଦ୍ରିକ ବାତ୍ୟା ଅମ୍ଫନ ସୁନ୍ଦରବନରେ ପ୍ରବେଶ କରିବା ସହ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି । ଅପରାହ୍ନ ୨ଟା୩୦ରୁ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ଏହାର ଗତି ପୂର୍ବରୁ ପଶ୍ଚିମ ଥିଲା ବେଳେ ପରେ ଗତିପଥି ବଦଳିଥିଲା । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ୪ଘଣ୍ଟା ମଧ୍ୟରେ ସୀମିତ ଥିଲା । ଏହାର ପ୍ରଭାବରେ ଉତ୍ତର ଚବିଶିପ୍ରଗଣା, ଦକ୍ଷିଣ ଚବିଶି ପ୍ରଗଣା, ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର, ହୁଗୁଳି ଓ ହାୱାଡା ଜିଲ୍ଲାରେ ପ୍ରବଳ ପବନ ସହ ବର୍ଷା ଲାଗି ରହିଛି । ଏଥିରେ ସଂପୃକ୍ତ ଜିଲ୍ଲାଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପଶ୍ଚିମବଙ୍ଗ ସରକାର ବାତ୍ୟାର ମୁକାବିଲା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଏହା ପୂର୍ବରୁ ବାତ୍ୟା ଓଡିଶା ଉପକୂଳ ଦେଇ ଗତି କରିଥିଲା । ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ବହୁ ଗଛ ଓ ଦୁର୍ବଳ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିବା ବେଳେ ଆଉ କେତେକ ସ୍ଥାନରେ କଚା ଘର କ୍ଷତିଗ୍ରସ୍ତ ହୋଇଛି ।