ରସାତଳକୁ ଚାଲିଯିବ ଦେଶର ଅର୍ଥନୀତି

ନୂଆଦିଲ୍ଲୀ: ଆମେରିକାକୁ କରୋନା ଭାଇରସ ଯେପରି ତଳିତଳାନ୍ତ କରିଛି ଭାରତକୁ ମଧ୍ୟ ସେହିଭଳି ଦଶା ଭୋଗିବାକୁ ପଡିବ । ଏହାର ଅର୍ଥନୀତି ଆଗାମୀ ଦିନରେ ରସାତଳକୁ ଚାଲିଯିବ । ଆର୍ଥିକ ସ୍ଥିତି ଏତେ ଖରାପ ହୋଇପଡିବ, ଯାହାକୁ ସ୍ୱାଭାବିକ କରିବା ଲାଗି ବହୁ ବର୍ଷ ଲାଗିଯିବ । ଏଭଳି ସତର୍କବାଣୀ ତଥା ଆକଳନ ଶୁଣାଇଛି ବିଶ୍ୱବ୍ୟାଙ୍କ । ବିଶ୍ୱବ୍ୟାଙ୍କ କହିଛି ଯେ, ୧୯୭୯ ମସିହା ପରେ ଭାରତର ଅର୍ଥନୀତି ପ୍ରଥମ ଥର ପାଇଁ ରସାତଳକୁ ଖସିଯିବାର ଆଶଙ୍କା ଦେଖାଦେଇଛି । ଅଭିବୃଦ୍ଧି ହାର ଏବେବି ଦୁର୍ବଳ ସ୍ତରରେ ରହିଛି । ୨୦୨୦-୨୧ରେ ଏହି ହାରରେ ଆହୁରି ୩.୨ ପ୍ରତିଶତ କମିବ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ବିଶ୍ୱର ଅର୍ଥନୀତିରେ ଏଭଳି ମାନ୍ଦାବସ୍ଥା ଦେଖାଦେଇଛି । ଅଧିକାଂଶ ଦେଶ ବର୍ତ୍ତମାନ ଅତି ଖରାପ୍ ଆର୍ଥିକ ଅବସ୍ଥା ଦେଇ ଗତି କରୁଛନ୍ତି । ଅର୍ଥନୈତିକ କାରବାର ବହୁ ମାତ୍ରାରେ ପ୍ରଭାବିତ ହେବା ଯୋଗୁଁ ରାଜସ୍ୱ ସଂଗ୍ରହ କମିଯାଇଛି । କରୋନା ମହାମାରୀ ଯୋଗୁଁ ଲୋକଙ୍କ ରୋଜଗାର ତଥା ଆୟ ବହୁ ମାତ୍ରାରେ କମିଛି । ସେମାନଙ୍କର ଦୈନିକ ଖର୍ଚ୍ଚ ପାଇଁ ଯେତିକି ଅର୍ଥ ଦରକାର ତାହା ଆସିପାରୁନାହିଁ । ଏହି କାରଣରୁ କୋଟିକୋଟି ଲୋକ ଦାରିଦ୍ର‌୍ୟ ସୀମାରେଖା ତଳକୁ ଚାଲିଯିବେ । ଦାରିଦ୍ର‌୍ୟ ଦୂରିକରଣ ପାଇଁ ଯେଉଁ ସବୁ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି ସେଥିରୁ ଆଗକୁ ସୁଫଳ ମିଳିବାର ସମ୍ଭାବନା ବହୁତ କମ୍ । ଭାରତରେ ଅର୍ଥନୈତିକ କାର୍ଯ୍ୟକଳାପ ବସ୍ତୁତଃ ସ୍ଥାଣୁ ଅବସ୍ଥାକୁ ଚାଲିଆସିଛି । ପୂର୍ବପରି ଅର୍ଥନୈତିକ କାରବାର କିପରି ଚଳଚଞ୍ଚଳ ହେବ ତାହା ବର୍ତ୍ତମାନ ସବୁଠୁ ବଡ ଚିନ୍ତାର ବିଷୟ । ସରକାର ବଡ ଧରଣର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ତେବେ ସେହି ପ୍ୟାକେଜକୁ କାର୍ଯ୍ୟକାରୀ କରିବା ଲାଗି ଯେଉଁ ପଇସା ଖର୍ଚ୍ଚ ହେବ ତାହା ଭରଣା କିପରି ହେବ ତାହା ମଧ୍ୟ ଏକ ପ୍ରଶ୍ନ ବୋଲି ବିଶ୍ୱବ୍ୟାଙ୍କ କହିଛି ।

Comments (0)
Add Comment