ନୂଆଦିଲ୍ଲୀ : ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ଗୁରୁବାର ଏକ ଅତି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସଂରକ୍ଷଣ ଏକ ମୌଳିକ ବା ଜନ୍ମସିଦ୍ଧ ଅଧିକାର ନୁହେଁ । ସଂରକ୍ଷଣକୁ ନେଇ ଯେଭଳି ଅବଧାରଣା କରାଯାଉଛି, ତାହା ଠିକ୍ ନୁହେଁ ବୋଲି କୋର୍ଟ କହିଛନ୍ତି । ତାମିଲନାଡୁରେ ମେଡ଼ିକାଲ ପାଠ୍ୟକ୍ରମରେ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ଡିଏମ୍କେ, ସିପିଏମ୍, ଏଆଇଡିଏମ୍କେ ଓ ଅନ୍ୟ ବହୁ ରାଜନୈତିକ ଦଳ କୋର୍ଟରେ ପିଟିସନ ଦାଖଲ କରିଥିବେ । ତାହା ଉପରେ ଶୁଣାଣି ବେଳେ କୋର୍ଟ ସେମାନଙ୍କୁ ଉଦ୍ଦେଶ୍ୟ କରି କହିଥିଲେ ଯେ, ଏହି ମାମଲାରେ କାହାର ମୌଳିକ ଅଧିକାର ଛଡ଼ାଇ ନିଆଯାଇଛି? ଆପଣଙ୍କ ଆବେଦନ ଦେଖିଲେ ଲାଗୁଛି ଆପଣ କେବଳ ତାମିଲନାଡୁର କେତେଜଣ ଲୋକଙ୍କ ମଙ୍ଗଳ କଥା ହିଁ ଚିନ୍ତା କରୁଛନ୍ତି । ଏହି ପ୍ରସଙ୍ଗ ଉପରେ ଏକାଧିକ ରାଜନୈତିକ ଦଳ ଏକାଠି ହୋଇଛନ୍ତି । ଏହା ଏକ ଖୁସିର ବିଷୟ । ତେବେ ଆମେ ଏହି ପିଟିସନ୍କୁ ଗ୍ରହଣ କରିବୁ ନାହିଁ । ତେବେ ଏହାକୁ ଖାରଜ ମଧ୍ୟ କରାଯାଇ ନାହିଁ ବୋଲି କୋର୍ଟ କହିଥିଲେ । ଏହି ପ୍ରସଙ୍ଗ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଯିବା ଲାଗି ସୁପ୍ରିମ୍କୋର୍ଟ ପରାମର୍ଶ ଦେଇଛନ୍ତି । ଶୁଣାଣି ବେଳେ ଡିଏମ୍କେ ନିଜ ପକ୍ଷ ରଖି କହିଥିଲା ଯେ, ଆମେ ଅଧିକ ସଂରକ୍ଷଣ ବା କୋଟା ବଢ଼ାଇବାକୁ କୋର୍ଟଙ୍କୁ ନିବେଦନ କରୁନାହୁଁ । ବରଂ ଯାହାର ଅଛି, ତାହାକୁ ଲାଗୁ କରିବାକୁ ଅନୁରୋଧ କରୁଅଛୁ । ଡିଏମ୍କେର ଏଭଳି ପକ୍ଷ ଉପସ୍ଥାପନ ପରେ କୋର୍ଟ କହିଥିଲେ ଯେ, ସଂରକ୍ଷଣ ବା କୋଟା କାହାର ଜନ୍ମସ୍ଥିତି ବା ମୌଳିକ ଅଧିକାର ନୁହେଁ । ଆପଣ ସୁପ୍ରିମ୍କୋର୍ଟରୁ ଆବେଦନ ପ୍ରତ୍ୟାହାର କରିନିଅନ୍ତୁ । ସୁପ୍ରିମ୍କୋର୍ଟ ପରିବର୍ତ୍ତେ ଆପଣ ହାଇକୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି ବୋଲି ଖଣ୍ଡପୀଠ କହିଥିଲେ ।