ନୂଆଦିଲ୍ଲୀ: ଭାରତରେ ଏଣ୍ଟ୍ରି କଲା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରୁ ଏହି୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି ।
ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ରହିଛି । ଉଭୟଙ୍କୁ ଆଇସୋଲେଟ କରାଯାଇ ଚିକିତ୍ସା ଜାରି ରଖାଯାଇଛି । ଏନେଇ ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ଭାରତକୁ ମିଶାଇ ୨୯ ଦେଶକୁ ମାଡି ସାରିଲାଣି ଓମିକ୍ରନ୍ ଭାରିଏଣ୍ଟ । ୨୯ ଦେଶରେ ମୋଟ ୩୭୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି ।ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ କରୋନାର ଡେଲ୍ଟା ଭାରିଏଣ୍ଟ ଠାରୁ ମଧ୍ୟ ଓମିକ୍ରନ ୫ ଗୁଣା ଅଧିକ ବିପଦଜ୍ଜନକ । ଏହା ଖୁବ୍ ଦ୍ରୁତଗତିରେ ବ୍ୟାପିକା ଆଶଙ୍କା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ଭାରିଏଣ୍ଟ ଅଫ୍ କନସର୍ଣ୍ଣ ଶ୍ରେଣୀରେ ରଖିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେପଟେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି । ଓମିକ୍ରନରୁ ବର୍ତ୍ତିବା ପାଇଁ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନଗହଳି ସ୍ଥାନକୁ ଆଦୌ ନଯିବାକୁ ସତର୍କ କରାଇଛନ୍ତି ବିଶେଷଜ୍ଞ । ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଗହଳିକୁ ଯାଆନ୍ତୁନି ଏବଂ ନିଶ୍ଚିତ ଟିକା ନିଅନ୍ତୁ ବୋଲି କହିଛନ୍ତି ।