ଲକ୍ଷେ୍ନା÷ : ୟୁପି ବୋର୍ଡ ପକ୍ଷରୁ ଦଶମ ପରେ ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ହାଇସ୍କୁଲ ଏବଂ ଏକାଦଶ ଶ୍ରେଣୀ ମାର୍କ ଆଧାରରେ ଦ୍ୱାଦଶ ଫଳାଫଳ ପ୍ରସ୍ତୁତ ହେବ । ଏଥିପାଇଁ ସରକାର ଶୀଘ୍ର ନିର୍ଦ୍ଦେଶନାମା ଜାରି କରିବେ । ଏହି ନିଷ୍ପତ୍ତି ଉପରେ ସିଏମ୍ ଯୋଗୀ ମୋହର ଲଗାଇଛନ୍ତି । ୟୁପି ବୋର୍ଡର ୧୦୦ ବର୍ଷ ଇତିହାସରେ ଏହା ପ୍ରଥମ ଥର ପାଇଁ ଇଣ୍ଟର ପରୀକ୍ଷା ବାତିଲ ହୋଇଛି ।
ଗୁରୁବାର ପୂର୍ବାହ୍ନରେ ଲୋକ ଭବନରେ ଡେପୁଟି ସିଏମ୍ ଏବଂ ଶିକ୍ଷା ବିଭାଗର ଅଧିକାରୀଙ୍କ ସହ ସିଏମ୍ ଯୋଗୀ ଏକ ବୈଠକ କରିଥିଲେ । ସିବିଏସ୍ଇ, ଆଇସିଏସ୍ଇ ବ୍ୟତୀତ ମଧ୍ୟପ୍ରଦେଶ, ଗୁଜୁରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ ସରକାର ବୋର୍ଡ ପରୀକ୍ଷାକୁ ବାତିଲ କରି ଦେଇଛନ୍ତି । ଏଭଳି ପରିସ୍ଥିତିରେ ୟୁପି ସରକାର ମଧ୍ୟ ପରୀକ୍ଷା ବାତିଲ କରିବେ ବୋଲି ଏକ ଦୃଢ ସମ୍ଭାବନା ରହିଥିଲା । ବୈଠକରେ ପରୀକ୍ଷାକୁ ବାତିଲ କରାଯାଇଛି । ୟୁପି ବୋର୍ଡର ଦଶମ ପରୀକ୍ଷାକୁ ସରକାର ବାତିଲ କରିସାରିଛନ୍ତି ।
ଏହି ନିଷ୍ପତ୍ତି ପରେ ଡେପୁଟି ସିଏମ୍ କହିଛନ୍ତି ଯେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କିଛି ସମୟ ଲାଗିପାରେ । ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ସ୍ଥିତି ସମୀକ୍ଷା କରିଥିଲେ । ଏହା ପରେ କେନ୍ଦ୍ର ସରକାର ସିବିଏସ୍ଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଦେଇଥିଲେ । ଆଜି ଆମେ ୟୁପି ବୋର୍ଡ ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ । ଛାତ୍ରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଡେପୁଟି ସିଏମ ଦୀନେଶ ଶର୍ମା ଦ୍ୱାଦଶ ପରୀକ୍ଷା କରିବା ପାଇଁ ପ୍ରସ୍ତୁତି ଚାଲଥିଲା ବୋଲି କହିଥିଲେ । କିନ୍ତୁ କରୋନାର ତୃତୀୟ ତରଙ୍ଗର ଭୟକୁ ଦୃଷ୍ଟିରେ ରଖି ସରକାର ପରୀକ୍ଷାକୁ ବାତିଲ କରିବା ଭଲ ବୋଲି ଭାବିଥିଲେ ।