କଟକଣା କୋହଳରୁ ଦ୍ରୁତ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱ ତଥା ଭାରତରେ କରୋନା ସ୍ଥିତି ଆହୁରି ଉଦ୍‌ବେଗଜନକ ହୋଇପଡ଼ିଛି । ଭାରତରେ ପ୍ରତିଦିନ ଅଧିକ ସଂଖ୍ୟାରେ ରୋଗୀ ବାହାରୁଥିବା ବେଳେ ଲୋକେ ମୃତ୍ୟୁମୁଖରେ ମଧ୍ୟ ପଡୁଛନ୍ତି । ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩୫ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୨ ଲକ୍ଷ ୫୦ ହଜାରର ନିକଟବର୍ତ୍ତୀ ହୋଇଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି । ଏହି ସଂଖ୍ୟା ଏବେ ୪୩ ହଜାରର ନିକଟବର୍ତ୍ତୀ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫୦୦ ପାଖାପାଖି ସ୍ଥିତିକୁ ଚାଲିଆସିଲାଣି । ସବୁଠୁ ଉଦ୍‌ବେଗର ବିଷୟ ହେଉଛି ଯେ, ଗତ ତିନି ଦିନ ମଧ୍ୟରେ ସାତ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିପାଇଁ କଟକଣା କୋହଳକୁ ଦାୟୀ କରାଯାଉଛି । ତେବେ ସୁସ୍ଥ ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ବର୍ତ୍ତମାନ ସୁଦ୍ଧା ୧୧ ହଜାର ୭୦୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ତୃତୀୟ ପର୍ଯ୍ୟାୟର ଲକ୍‌ଡାଉନ୍ ଅବଧି ବୃଦ୍ଧି ଘୋଷଣା ବେଳେ କେନ୍ଦ୍ର ସରକାର ବହୁମାତ୍ରାରେ କଟକଣା କୋହଳ କରିବା ଏକ ଚର୍ଚ୍ଚାର ବିଷୟ ହୋଇଛି । ଦିଲ୍ଲୀ ରେଡ୍‌ଜୋନରେ ରହିଛି ଏବଂ ୪୦ରୁ ଅଧିକ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏହାସତ୍ତ୍ୱେ ସରକାର ମଦ ଦୋକାନ ସମେତ ଅନ୍ୟାନ୍ୟ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ଲୋକମାନଙ୍କ ଯିବାଆସିବା କଟକଣାକୁ ମଧ୍ୟ କୋହଳ କରାଯାଇଛି । ଆହୁରି ବହୁ ସହରରେ ଏଭଳି କୋହଳ ହୋଇଛି । ଏହି କାରଣରୁ ଆଗାମୀ ଦିନରେ ସ୍ଥିତି ଆହୁରି ଖରାପ ହୋଇପଡିବ ବୋଲି ଆଶଙ୍କା କରାଯାଉଛି । ଏବେ ସମଗ୍ର ଦେଶକୁ ରେଡ୍‌, ଅରେଞ୍ଜ୍ ଓ ଗ୍ରୀନ୍ ଜୋନ୍‌ରେ ବିଭକ୍ତ କରାଯାଇଛି । ଅରେଞ୍ଜ ଓ ଗ୍ରୀନ୍ ଜୋନରେ ଅଧିକ କୋହଳ ବ୍ୟବସ୍ଥା ରହିଛି । ଏଭଳି ପଦକ୍ଷେପ ଦେଶରେ ବହୁସଂଖ୍ୟାରେ କରୋନା ରୋଗୀଙ୍କୁ ଜନ୍ମ ଦେବ ବୋଲି ବିଭିନ୍ନ ମହଲରେ ଆଶଙ୍କା ବ୍ୟକ୍ତ କରାଯାଇଛି । ସେହିପରି, ପୂର୍ବଭଳି ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ସ୍ଥିତି ଗମ୍ଭୀର ହୋଇଛି । ଉଭୟ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ମହାରାଷ୍ଟ୍ର ଏବେବି ଶୀର୍ଷରେ ରହିଛି ।

Comments (0)
Add Comment