ରେଳ ଟ୍ରାକ୍‌ରେ ଚାଲିଗଲା ୧୬ ଶ୍ରମିକଙ୍କ ଜୀବନ

ମୁମ୍ବାଇ, : ଏବେ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ବିପତ୍ତିର ବୋଝ ପଡ଼ିଚାଲିଛି । ଗୋଟିଏ ପଟେ ଲକ୍‌ଡାଉନ୍ ଜନିତ ସମସ୍ୟା ସହିତ ଲଢ଼ୁଥିବା ବେଳେ ଅନ୍ୟପଟେ ଘରକୁ ଫେରୁଥିବା ସମୟରେ ଶ୍ରମିକମାନଙ୍କର ବାଟରେ ଜୀବନ ଚାଲିଯାଉଛି । ଏହାଠୁ ଆହୁରି ବଳିଯାଇଛି ଆଜି ଘଟିଥିବା ଏକ ଅଘଟଣ । ନିଜ ଅଞ୍ଚଳକୁ ଆସିବା ପାଇଁ ଶ୍ରମିକମାନେ ରେଳ ଟ୍ରାକ୍ ଦେଇ ଆସୁଥିବା ବେଳେ ଭୀଷଣ କ୍ଳାନ୍ତ ହୋଇ ଟ୍ରାକ୍ ଉପରେ ଶୋଇ ପଡ଼ିଥିଲେ । ଏହି ସମୟରେ ଏକ ଟ୍ରେନ୍ ସେମାନଙ୍କ ଉପରେ ଚଢ଼ିଯାଇଥିଲା । ଏଥିରେ ସମସ୍ତ ୧୬ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ଆଜି ଭୋର ସମୟରେ ଏହି ଦୁଃଖଦ ଘଟଣା ଘଟିଛି । ଯାହା କେବଳ ମୁମ୍ବାଇ ନୁହେଁ, ସମଗ୍ର ଦେଶକୁ ଶୋକାଭିଭୂତ କରିଛି । ମହାରାଷ୍ଟ୍ରର ଔରଙ୍ଗାବାଦର ଚନ୍ଦନପୁର ଓ କର୍ମଦା ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣାରେ ଏହି ଘଟଣା ଘଟିଛି । ୨୦ ଜଣ ଶ୍ରମିକ ଜଲାନ ଅଞ୍ଚଳରୁ ନିଜ ଗାଁକୁ ଯାଉଥିଲେ । ସେମାନେ ୧୫୭ କିମି ରାସ୍ତା ଚାଲିବା ପରେ ଭୀଷଣ କ୍ଲାନ୍ତ ହୋଇପଡିଥିଲେ । ରେଳ ଧାରଣାରେ ସେମାନେ ବିଶ୍ରାମ ନେଉଥିବା ବେଳେ ସେମାନଙ୍କୁ ପ୍ରବଳ ନିଦ ହୋଇଯାଇଥିଲା । ଆସୁଥିବା ଟ୍ରେନର ଡ୍ରାଇଭରଜଣକ ସେମାନଙ୍କୁ ଦେଖି ଟ୍ରେନ ଅଟକାଇବା ଲାଗି ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ୧୬ଜଣ ଶ୍ରମିକଙ୍କର ଜୀବନ ଚାଲିଯାଇଥିଲା । ଅନ୍ୟମାନେ ଗୁରୁତର ଭାବେ ଆହତ ହୋଇ ନିକଟବର୍ତ୍ତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରି ଘଟଣାର ଅନୁଧ୍ୟାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ରେଳ ମନ୍ତ୍ରଣାଳୟ ଏହି ଘଟଣା ଉପରେ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ସଂପର୍କରେ ଖବର ପାଇଁ ସ୍ଥାନୀୟ ପୁଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ହସ୍ପିଟାଲକୁ ନେଇଥିଲେ । ଘଟଣାସ୍ଥଳର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ହୋଇଥିଲା । ସମଗ୍ର ରେଳ ଧାରଣା ଶ୍ରମିକଙ୍କ ରକ୍ତରେ ଲାଲ ହୋଇଯାଇଛି । ସେମାନଙ୍କର ହାତ, ଗୋଡ଼, ମୁଣ୍ଡ, ଚପଲ ବିକ୍ଷିପ୍ତ ଭାବେ ପଡ଼ିରହିଛି । ଶ୍ରମିକମାନେ ନିଜ ସାଙ୍ଗରେ ଆଣିଥିବା ପାଉଁରୁଟି, ରୁଟି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ମଧ୍ୟ ଏଣେତେଣେ ପଡ଼ିଛି । ଶ୍ରମିକମାନଙ୍କ ମଧ୍ୟରେ କୌଣସି ଚୋଟ ପିଲା ନଥିଲେ । ଏହି ଘଟଣାକୁ ରେଳ ମନ୍ତ୍ରଣାଳୟ ଯଥେଷ୍ଟ ଗମ୍ଭୀରତାର ସହ ନେଇ ସବୁ ଦିଗକୁ ଅନୁଧ୍ୟାନ କରୁଛନ୍ତି । ଟ୍ରେନର ଡ୍ରାଇଭରକୁ ମଧ୍ୟ ପଚରାଉଚୁରା କରାଯାଉଛି । ରେଳବାଇ ବିଭାଗର ଅଧିକାରୀମାନେ ଅନ୍‌ଲାଇନ୍ ଜରିଆରେ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବେ । ଲକ୍‌ଡାଉନ୍ ଦେଶରେ ଲାଗୁ ହେବା ପରଠାରୁ ଏଭଳି ଘଟଣା କେବେ ଘଟି ନାହିଁ ବୋଲି କୁହାଯାଉଛି ।

Comments (0)
Add Comment