ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କରୋନା ସଂକ୍ରମଣ ପୁଣି ୨୦ ହଜାର ଟପିଛି । ଆଜି ପଜିଟିଭିଟି ହାର ୪.୧% ଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୬୪% ଅଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୫୫୭ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪୦ ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୦,୫୫୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪, ୩୮,୦୩,୬୧୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୫୮୫, ତେଲେଙ୍ଗାନାରେ ୬୫୮, କର୍ଣ୍ଣାଟକରେ ୧,୧୫୧, ତାମିଲ୍ନାଡୁରେ ୨,୧୪୨, ମହାରାଷ୍ଟ୍ରରେ ୨,୨୭୯ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି । ମେ ମାସଠାରୁ ଦେଶରେ କ୍ରମାଗତ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ହୋଇଥିବା ୪୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୫,୭୬୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୮,୫୧୭ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୩୧,୩୨୧,୪୦ । ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୪୭% ରହିଛି । ଏହାଛଡା, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ବୃଦ୍ଧି ପାଇ ୧,୪୫,୬୫୪ ପହଞ୍ଚିଛି । ସକ୍ରିୟ ସଂକ୍ରମଣର ସଂଖ୍ୟା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୩୩% । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୦୦,୬୧,୨୪,୬୮୪ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।