ଚାଷୀଙ୍କ ପାଇଁ ଏକ ଲକ୍ଷ କୋଟିର ପାଣ୍ଠି

ନୂଆଦିଲ୍ଲୀ: ଦେଶବାସୀଙ୍କ ପେଟକୁ ଦାନା ଦେଉଥିବା ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ବଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ତାହା ହେଉଛି ପ୍ରଧାନମନ୍ତ୍ରୀ କୃଷିଭିତ୍ତିକ ପାଣ୍ଠି । ଏହି ପାଣ୍ଠିର ପରିମାଣ ହେଉଛି ଏକ ଲକ୍ଷ କୋଟି ଟଙ୍କା । ଏହାଛଡ଼ା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ବିଧି ଯୋଜନା ଅଧିନରେ ଷଷ୍ଠ କିସ୍ତିରେ ୧୭ ହଜାର କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି । ଏଥିରେ ୮.୫ କୋଟି ଚାଷୀ ସିଧାସଳଖ ଉପକୃତ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ବର୍ଷେ/ ଦେଢ଼ ବର୍ଷ ମଧ୍ୟରେ ଏହି ଯୋଜନାରେ ୭୫ ହଜାର କୋଟି ଟଙ୍କା ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇସାରିଲାଣି । ଏହା ମଧ୍ୟରୁ କରୋନା ଲକଡାଉନ୍‌ ସମୟରେ ଚାଷୀଙ୍କୁ ୨୨ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ ଉଦ୍‌ବୋଧନ ଦେବା ଅବସରରେ ସୂଚନା ଦେଇଛନ୍ତି । ମୋଦି କହିଛନ୍ତି ଯେ, ଦେଶରେ ଚାଷୀମାନଙ୍କୁ ବର୍ତ୍ତମାନ ମଣ୍ଡି ଓ ମଣ୍ଡି ଟିକସରୁ ମୁକ୍ତ କରାଯାଇଛି । ବର୍ତ୍ତମାନ ଚାଷୀଙ୍କ ପାଖରେ ଅନେକ ବିକଳ୍ପ ରହିଛି । ଯାହାଫଳରେ ସେମାନେ ଆତ୍ମନିର୍ଭରଶୀଳ ହୋଇ କାର୍ଯ୍ୟ କରିପାରିବେ । ସରକାରଙ୍କ ଆତ୍ମନିର୍ଭର ଭାରତ ଅନୁଯାୟୀ ଚାଷୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଉପରୋକ୍ତ ପାଣ୍ଠି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହା ଚାଷୀମାନଙ୍କର ରୋଜଗାରକୁ ବଢ଼ାଇବା ସହ ଆର୍ଥିକ ସ୍ଥିତିକୁ ସମୃଦ୍ଧ କରିବ । ଏହି ଯୋଜନା ଅଧିନରେ ଚାରି ବର୍ଷ ପାଇଁ ଏକ ଲକ୍ଷ କୋଟି ଟଙ୍କାର ଋଣ ଉପଲବ୍ଧ ହେବ । ୨୦୨୦ରୁ ୨୦୨୧ ମଧ୍ୟରେ ଚାଷୀଙ୍କ ପାଇଁ ଋଣ ଆକାରରେ ୧୦ ହଜାର କୋଟି ଋଣ ଉପଲବ୍ଧ ହେବ । ବାକି ତିନି ବର୍ଷରେ ମୋଟ ୩୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ସୁଧ ଉପରେ ସରକାର ୩ ପ୍ରତିଶତ ସବ୍‌ସିଡି କୃଷକମାନଙ୍କୁ ସାତ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦେବେ । ସରକାରଙ୍କର ଏହି କୃଷକ କଲ୍ୟାଣ ଯୋଜନା ବ୍ୟାପକ ଭାବରେ ଚାଷୀକୁଳକୁ ଉପକୃତ କରାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments (0)
Add Comment