ସମସ୍ୟା ବଢ଼ାଉଛି କଟକଣା କୋହଳ

ନୂଆଦିଲ୍ଲୀ :କେତେକ ଦେଶ କଠୋର ଲକ୍‌ଡାଉନ୍ କଟକଣା ପ୍ରୟୋଗ କରି କରୋନା ସଂକ୍ରମଣ ସ୍ଥିତିକୁ ବହୁମାତ୍ରାରେ ନିୟନ୍ତ୍ରଣ କରିପାରିଥିବା ବେଳେ ଭାରତରେ କିନ୍ତୁ ସ୍ଥିତି ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ଲକ୍‌ଡାଉନ୍ ନିୟମରେ ପର୍ଯ୍ୟାୟକ୍ରମିକ କୋହଳ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କେତେକ ବିଶେଷଜ୍ଞ ତଥା ଗବେଷଣା ସଂସ୍ଥା ଗତକାଲି ମତ ଦେଇଥିଲେ । ଏସବୁ ପ୍ରତି କିନ୍ତୁ ସରକାର ବିଚାରକୁ ନନେଇ କୋହଳ ବ୍ୟବସ୍ଥାକୁ ଜାରି ରଖିଛନ୍ତି । ଯାହାଫଳରେ ଗତ କିଛିଦିନ ମଧ୍ୟରେ ଦୈନିକ ସଂକ୍ରମଣ ହାର ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଚାଲିଛି । ନିକଟରେ ଗୋଟିଏ ଦିନରେ ୩,୯୦୦ ଜଣ ସଂକ୍ରମିତ ହୋଇଥିଲା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ରେକର୍ଡ଼ ଭଙ୍ଗ ହୋଇଛି । ଏହି ସମୟ ମଧ୍ୟରେ ୪,୨୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦେଶର ମୋଟ ରୋଗୀ ସଂଖ୍ୟା ୬୭ହଜାର ୧୫୨ରେ ପହଞ୍ଚିଛି । ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୨୦ ହଜାର ୯୧୩ ଜଣ ଅବଶ୍ୟ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି, ୪୪ ହଜାର ୨୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଅପରପକ୍ଷରେ, ମୃତ୍ୟୁସଂଖ୍ୟା ୨,୨୦୬କୁ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ମଇ ୧୫ ତାରିଖ ସୁଦ୍ଧା ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୬୫ ହଜାରରେ ପହଞ୍ଚିବ ବୋଲି କେନ୍ଦ୍ର ସରକାର ଆକଳନ କରିଥିଲେ । ଏ ନେଇ ସରକାର ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ଚିଠି ଲେଖି ଏହି ତଥ୍ୟ ପ୍ରଦାନ କରିଥିଲେ । କିନ୍ତୁ ବାସ୍ତବରେ ସରକାରଙ୍କ ଆକଳନକୁ ଏହା ଏବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅତିକ୍ରମ କରିବା ଖୋଦ୍ ସରକାରଙ୍କୁ ବିଚଳିତ ଓ ଚକ୍କିତ କରିଛି । ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୪ ନିୟୁତ ଅତିକ୍ରମ କରିସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୧ ହଜାରକୁ ଟପିଗଲାଣି । ଜନ୍ସ ହପକିନ୍ସ ପରିସଂଖ୍ୟାନ ଅନୁଯାୟୀ ଆମେରିକା ପୂର୍ବ ଭଳି ଏବେବି ସବୁଠୁ ଭୟଙ୍କର ସ୍ଥିତିରେ ଗତି କରୁଛି । ଏହି ଦେଶରେ ବର୍ତ୍ତମାନ ସୁଦ୍ଧା ୭୯ ହଜାର ୧୮୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଲକ୍ଷ ୭୭ ହଜାର ୫୯୪ଜଣ ଆକ୍ରାନ୍ତ ହୋଇସାରିଲେଣି । ଆମେରିକା ତଳକୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ବ୍ରିଟେନ୍ ଓ ଇଟାଲୀ । ବ୍ରିଟେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୩୧ ହଜାର ୯୩୦ ଥିବା ବେଳେ ଇଟାଲୀରେ ଏହି ସଂଖ୍ୟା ୩୬ ହଜାର ୫୬୦କୁ ଅତିକ୍ରମ କରିସାରିଲାଣି । ଭାରତରେ ପ୍ରବାସୀ ଶ୍ରମିକମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସରକାର ପର୍ଯ୍ୟାୟକ୍ରମେ କଟକଣାକୁ କୋହଳ କରୁଥିବାରୁ ପରିସ୍ଥିତି ଅଧିକ ଜଟିଳ ହେଉଛି ବୋଲି କୁହାଯାଉଛି ।

Comments (0)
Add Comment