ଇଡିକୁ ସବୁକଥା ଖୋଲି କହିଦେଲେ ଅର୍ପିତା : ମୋ ଘରୁ ମିଳିିଥିବା ଟଙ୍କା ପାର୍ଥଙ୍କର

କୋଲକାତା: ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଏବେ ପଶ୍ଚିମ ବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପାଇଁ କଣ୍ଟା ହେଲା ଭଳି ସ୍ଥିତିକୁ ଚାଲି ଆସିଲେଣି । ନିଜକୁ ସରକ୍ଷିତ ରଖିବା ଯାଇ ସେ ଯାହା ଉଚିତ ମନେ କରୁଛନ୍ତି,ତାହା ଇଡିକୁ କହି ଦେଉଛନ୍ତି । ଅର୍ପିତା ପାର୍ଥ ଚାଟାର୍ଜୀଙ୍କର ଅତି ଘନିଷ୍ଠ ସହଯୋଗୀ ବୋଲି ସମସ୍ତେ ଜାଣନ୍ତି । ଶୁକ୍ରବାର ଅର୍ପିତା ମୁଖାର୍ଜୀଙ୍କ ବାସଭବନରେ ଚଢଉ କରି ନଗଦ ୨୧ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା । ପ୍ରଥମେ ଇଡିର କୌଣସି ପ୍ରଶ୍ନର ଜବାବ ଦେଇନଥିବା ଅର୍ପିତା ଏବେ ମୁହଁଁ ଖୋଲିଛନ୍ତି । ଘରୁ ମିଳିଥିବା ଗଦା ଗଦା ଟଙ୍କା ପାର୍ଥ ଚାଟାର୍ଜୀଙ୍କର ବୋଲି ଇଡିକୁ କହିଛନ୍ତି ଅର୍ପିତା । ପଚରାଉଚରା ବେଳେ ଅଭିନେତ୍ରୀ କହିଛନ୍ତି ଯେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ନଗଦ ଟଙ୍କା ତାଙ୍କ ଘରୁ ବାହାରକୁ ଅଣାଯିବା ଯୋଜନା ଥିଲା । ଏହି ଟଙ୍କା ଅର୍ପିତାଙ୍କ ସହ ଜଡିତ କମ୍ପାନିରେ ନିବେଶ କରାଯିବାର ଥିଲା । କିନ୍ତୁ ଏଜେନ୍ସି ଚଢଉ କରିବାରୁ ଏହି ଯୋଜନା ଭଣ୍ଡୁର ହୋଇଥିଲା ବୋଲି କହିଛନ୍ତି ଅର୍ପିତା । ଏହା ସହ ଅର୍ପିତା ଏବଂ ପାର୍ଥ ଚାଟାର୍ଜୀ ମିଶି ଏକ ଜମି କିଣିଥିବା କହିଛି ଇଡି । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଦିନ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା । ଇଡିର ଏକ ୮ ଜଣିଆ ଟିମ୍‌ ଶୁକ୍ରବାର ସକାଳ ପ୍ରାୟ ୭ଟା ୩୦ରେ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ କୋଲକାତାସ୍ଥିତ ବାସଭବନରେ ପହଞ୍ଚି ଚଢଉ ଆରମ୍ଭ କରିଥିଲା । ଇଡି ଅଧିକାରୀମାନେ ଦୀର୍ଘ ୨୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପାର୍ଥଙ୍କୁ ମାରାଥନ ଜେରା କରିବାପରେ ଶନିବାର ତାଙ୍କୁ ଗିରଫ କରାଯାଇଥିଲା । ସେହି ଦିନ ଅର୍ପିତାଙ୍କୁ ମଧ୍ୟ ଗିରଫ କରିଥିଲା ଇଡି ।

Comments (0)
Add Comment