ବାଙ୍ଗାଲୋର : ବିଏସ୍ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇ ଶପଥ ଗ୍ରହଣ କରିଛନ୍ତି । ବୁଧବାର ସକାଳ ୧୧ ଟାରେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ବାସବରାଜ ବୋମାଇ ଶପଥ ଗ୍ରହଣ କରିଥିଲେ । ସିଏମ୍ ଭାବରେ ଶପଥ ଗ୍ରହଣ କରିବାକୁ ବୋମାଇ ରାଜ ଭବନରେ ପହଞ୍ଚିଥିଲେ । ବିଏସ୍ ୟେଦ୍ୟୁରପ୍ପା ମଧ୍ୟ ତାଙ୍କ ସହ ଥିଲେ । କର୍ଣ୍ଣାଟକ ସିଏମ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ବୋମାଇ କେନ୍ଦ୍ରୀୟ ବିଜେପି ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୂର୍ବତନ ସିଏମ ବିଏସ ୟେଦୁାରପ୍ପାଙ୍କୁ ଭେଟିଥିଲେ । ସୂଚନାଯୋଗ୍ୟ ଯେ, ବୋମାଇ ଶକ୍ତିଶାଳୀ ଲିଙ୍ଗାୟତ ନେତା ତଥା ୟେଦ୍ୟୁରପ୍ପାଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ।
ବୋମାଇ ଏବେ ହାବେରି ଜିଲ୍ଲାର ଶିଗାଓଁର ବିଧାୟକ। ୬୧ ବର୍ଷୀୟ ଏହି ନେତା ମେକାନିକାଲ ଇଞ୍ଜିନିୟରିଂରେ ବିଟେକ୍ ପାସ କରିବା ପରେ ରାଜନୀତିରେ ପାଦ ଥାପିଥିଲେ। କର୍ଣ୍ଣାଟକ ରାଜନୀତିରେ ଜଣା ନମ୍ର ଓ ଭଦ୍ର ନେତା ଭାବରେ ନିଜର ପରିଚୟ ରଖିଛନ୍ତି ଏହି ନେତା। ୟେଦ୍ୟୁରପ୍ପା ସରକାରରେ ସେ ଦୁଇଥର ମନ୍ତ୍ରୀ ହୋଇଥିଲେ। ଗତକାଲି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ୟେଦ୍ୟୁରପ୍ପା ତାଙ୍କୁ ଉତ୍ତରାଧିକାରୀ ଭାବରେ ମନୋନୀତ କରିବା ପରେ ସେ ୨୩ ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବୋମାଇଙ୍କ ବାପା ଏସଆର ବୋମାଇ ମଧ୍ୟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ। ୨୦୦୮ରେ ବିଜେପିରେ ସାମିଲ ହୋଇଥିଲେ ଏହି ନେତା।
ଶପଥ ଗ୍ରହଣ ପୂର୍ବରୁ ବାସଭରାଜ ବୋମାଇ କହିଥିଲେ ଯେ ବିଏସ୍ ୟେଦ୍ୟୁରପ୍ପା ତାଙ୍କ ବାପା ସମାନ। ୟେଦ୍ୟୁରପ୍ପାଙ୍କ ପାଖରେ ସରକାର ଚଳାଇବାର ଅଭିଜ୍ଞତା ରହିଛି। ୟେଦ୍ୟୁରପ୍ପା ତାଙ୍କ ମନ୍ତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସ୍ୱାଧୀନତା ଦେଇଥିଲେ। ସେ ମନ୍ତ୍ରୀ ଭାବରେ ମଧ୍ୟ କାମ କରି ସନ୍ତୁଷ୍ଟ। ଏବେ ୟେଦ୍ୟୁରପ୍ପାଙ୍କ ପରାମର୍ଶ ନେଇ ସରକାର ଚଳାଇବେ ବୋଲି ସେ କହିଛନ୍ତି।
ସୂଚନାନୁସାରେ, ରାଜ୍ୟ ବିଜେପିରେ ୟେଦ୍ୟୁରପ୍ପାଙ୍କ ପୁଅ ଭି.ଜେ ବିଜୟେନ୍ଦ୍ର ଉପାଧ୍ୟକ୍ଷ ରହିଛନ୍ତି। ଏବେ ତାଙ୍କୁ କେନ୍ଦ୍ର ବିଜେପି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆଣିପାରେ। ସୂଚନାନୁସାରେ, ବୋମାଇଙ୍କ ସହ ତିନିଜଣ ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ କରଜୋଲ, ଆର ଅଶୋକ ଏବଂ ଶ୍ରୀରାମୁ ରହିବେ।