କରୋନା କଥା – 4 : ବିସିଜି ଉପରେ ଭରସା !

ଚତୁର ଚାଇନିଜ୍ ଭାଇରସ୍ COVID-19 ର ସଂକ୍ରମଣ, ନିରାକରଣ ଓ ପ୍ରତିଷେଧକ ଲକ୍ଷ୍ୟରେ ଭାରତୀୟ ମୁକାବିଲା ବ୍ୟବସ୍ଥା ନେଇ ଦେଶବିଦେଶର ବିଭିନ୍ନ ଗଣମାଧ୍ୟମରେ ଅନେକ ଆଲୋଚନା ଏବେ ଦେଖିବାକୁ ମିଳୁଛି !

କିଛି ଦିନ ତଳେ ଭାରତୀୟଙ୍କ ଦ୍ଵାରା ମ୍ୟାଲେରିଆ ଚିକିତ୍ସା ଲାଗି ବ୍ୟବହୃତ ଔଷଧ ହାଇଡ୍ରୋଅକ୍ସି କ୍ଳୋରୋକୁଇନ ଦ୍ଵାରା କରୋନା ଚିକିତ୍ସାର ଚର୍ଚ୍ଚା ଗଣମାଧ୍ୟମକୁ ନୂଆ ଖୋରାକ୍ ଯୋଗାଇଥିଲା ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ହାଇଡ୍ରୋଅକ୍ସି କ୍ଳୋରୋକୁଇନ ଔଷଧ ଭାରତରୁ ଆମଦାନୀ ପାଇଁ ଅଡି ବସିଲେ ସେତେବେଳେ ଏହି ଚର୍ଚ୍ଚା ପୁଣି ଶିଖରକୁ ଉଠିଯାଇଥିଲା ! ନିଜ ପାଖରେ ଗଚ୍ଛିତ ଥିବା ଯଥେଷ୍ଟ ପରିମାଣର ଏହି ମ୍ୟାଲେରିଆ ଔଷଧରୁ କିଛି ଭାରତ ଆମେରିକାକୁ ଦେବାସହ ନିଜ ବୈଦେଶିକ ସମ୍ପର୍କକୁ ଦୃଢ଼ କରିଥିଲା ! ଯଦିଓ ହାଇଡ୍ରୋଅକ୍ସି କ୍ଳୋରୋକୁଇନ ଦ୍ଵାରା କରୋନା ଭଲ ହେଉଥିବା ନେଇ କୌଣସି ନିର୍ଦ୍ଦିଷ୍ଟ ଗବେଷଣା ଏଯାଏଁ ସ୍ପଷ୍ଟ କରିନି, ମାତ୍ର ଭାରତୀୟ ଡାକ୍ତରଙ୍କ ଦ୍ଵାରା କିଛି କରୋନା ରୋଗୀଙ୍କ ଉପରେ ଏହାର ପ୍ରୟୋଗ ସୁଫଳ ଦେଇଥିବାରୁ ଏବେ ଅନେକ ଏହାକୁ ଅନୁସରଣ କରିବା ଆରମ୍ଭ କରିଦେଇଛନ୍ତି !

ଭାରତରେ ବ୍ୟବହୃତ ଆଉ ଏକ ପ୍ରତିଷେଧକ ବ୍ୟବସ୍ଥା ପୁଣି ଚର୍ଚ୍ଚାର ଖୋରାକ୍ ଯୋଗାଇଛି ! କୁହାଯାଉଛି ଚତୁର COVID19 ଭୂତାଣୁକୁ ମାତ୍ ଦେବାରେ ବିସିଜି ଟୀକା ସହାୟକ ହେବ ! ଅର୍ଥାତ୍ ବିସିଜି ଟୀକା ଦ୍ଵାରା ଏହି ଯୁଦ୍ଧରେ ଭାରତ ସଫଳ ହେବାର ସମ୍ଭାବନା ଅଛି ବୋଲି ଏକାଧିକ ବିଶେଷଜ୍ଞ ମତ ଦେଲେଣି !

ଜନ୍ମ ସମୟରେ ଆମେ ସମସ୍ତେ ନେଇଥିବା ବିସିଜି ଭ୍ୟାକ୍ସିନ୍ କିମ୍ବା ବାକିଲ୍ କାଲମେଟ୍ ଗୁରେନ୍, ଯକ୍ଷ୍ମା ସହିତ ଲଢିବା ପାଇଁ 1920 ମସିହାରେ ଆରମ୍ଭ କରାଯାଇଥିଲା। ବିଶ୍ୱରେ ସର୍ବାଧିକ ଯକ୍ଷ୍ମା ରୋଗ ସହିତ ଲଢୁଥିବା ଭାରତ 1948 ମସିହାରେ ବିସିଜି ଟୀକା ପ୍ରଦାନ ଆରମ୍ଭ କରିଥିଲା। ବିସିଜି ଟିକା ଯକ୍ଷ୍ମା ଜୀବାଣୁଙ୍କର ଏକ ଜୀବନ୍ତ କିନ୍ତୁ ଦୁର୍ବଳ ଷ୍ଟ୍ରେନ୍ ଧାରଣ କରିଥାଏ, ଯାହାର ଆଣ୍ଟିବଡି ଯକ୍ଷ୍ମା ଜୀବାଣୁ ଉପରେ ଆକ୍ରମଣ କରି ଶରୀରକୁ ଏହି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଅନ୍ୟାନ୍ୟ ଟୀକା ତୁଳନାରେ, ବିସିଜି ଅନ୍ତର୍ନିହିତ ପ୍ରତିରକ୍ଷା ପ୍ରଣାଳୀକୁ ବଢାଇଥାଏ , ଯାହାକି ଶରୀରକୁ ଏକରୁ ଅଧିକ ସଂକ୍ରମଣରୁ ରକ୍ଷା କରିଥାଏ | ସମ୍ପ୍ରତି ଭାରତରେ ମିଳୁଥିବା ବିସିଜି ଇଞ୍ଜେକ୍ସନର ମୂଲ୍ୟ ପ୍ରାୟ 100 ଟଙ୍କା ରୁ 1000 ଟଙ୍କା ପର୍ଯ୍ୟନ୍ତ ରହିଛି |

ଜଣାଶୁଣା ଇମ୍ୟୁନୋଲୋଜିଷ୍ଟ ତଥା ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ମଲିକୁଲାର ମେଡିସିନର ପ୍ରଫେସର ଡକ୍ଟର ଗୋବର୍ଦ୍ଧନ ଦାସଙ୍କ କହିବା ମତେ ଭାରତ କାଳ ବିଳମ୍ବ ନକରି ତୁରନ୍ତ ବିସିଜି ଟୀକାକରଣ ପୁନଃ ଆରମ୍ଭ କରିଦେଉ ! ଡକ୍ଟର ଦାସ ଙ୍କ କହିବା ଅନୁସାରେ “ଆମେ ପୂର୍ବରୁ ଟୀକାକରଣ କରିସାରିଛୁ ଏବଂ ଆମେ ଏହାକୁ ସହ୍ୟ କରିଛୁ। ତେଣୁ ବିସିଜିର ପ୍ରଥମ ପର୍ଯ୍ୟାୟ ଆମ ସୁରକ୍ଷା ଅଂଶ ହୋଇ ସାରିଥିବାରୁ ଆମକୁ ଆଉ ନୂଆ ପରୀକ୍ଷଣର ଆବଶ୍ୟକତା ନାହିଁ, ଏବଂ ଆମ ପାଖେ ସମୟ ମଧ୍ୟ ନାହିଁ। ଆମେ ପୁଣି ଟୀକାକରଣ ପାଇଁ ସିଧାସଳଖ ଯାଇପାରିବା”

କରୋନା ସଂକ୍ରମଣ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ରୋଗୀ ଓ ବୟସ୍କମାନଙ୍କ ପାଇଁ ବେଶୀ ବିପଦଜନକ ପ୍ରମାଣିତ ହେଉଛି ! ଏହାର କାରଣ ହେଉଛି ଆମର ପ୍ରତିରକ୍ଷା ପ୍ରଣାଳୀ ଧୀରେ ଧୀରେ ରୋଗ ଓ ବୟସର ପ୍ରଗତି ସହିତ ହ୍ରାସ ପାଇଥାଏ | ତେଣୁ, ରୋଗୀଙ୍କ କ୍ଷେତ୍ରରେ ବା ଆପଣ 50 ଅତିକ୍ରମ କରିବା ପରେ ପ୍ରତିରକ୍ଷା ପ୍ରତିକ୍ରିୟା କମିଯାଏ | ଭୂତାଣୁ କିମ୍ବା ଜୀବାଣୁ ବିରୁଦ୍ଧରେ ଆମ ପ୍ରତିରୋଧ ଶକ୍ତି ମଧ୍ୟ କମିଯାଏ | ଏହାକୁ ଲକ୍ଷ୍ୟ କରି ପ୍ରଫେସର ଦାସ ଏହି ଟୀକାକୁ ଆମର COVID-19 ଚିକିତ୍ସାରତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଏବଂ ବୟସ୍କଙ୍କୁ ଠାରୁ ଦେବା ଆରମ୍ଭ କରିବା ଉଚିତ୍ ବୋଲି ମତ ଦିଅନ୍ତି! ଏହା ଦ୍ଵାରା ପୁନର୍ବାର ରୋଗ ପ୍ରତିରୋଧକ ଶକ୍ତି ବଢିବ ! ତେଣୁ, ଯେଉଁମାନେ ଟୀକା ନେଇ ନାହାଁନ୍ତି ସେମାନଙ୍କୁ ନୁହେଁ, ବରଂ ଯେଉଁମାନେ ପୂର୍ବରୁ ବିସିଜି ନେଇଛନ୍ତି ସେମାନଙ୍କୁ ଏହି ଟୀକା ଆଉଥରେ ଦେବାକୁ ପଡିବ। ଏହା ପ୍ରତିରକ୍ଷା ପ୍ରତିକ୍ରିୟାକୁ ଆହୁରି ସକ୍ରିୟ କରିଦେବ ବୋଲି ପ୍ରଫେସର ଦାସ ମତ ଦେଇଛନ୍ତି!

ଯକ୍ଷ୍ମା ରୋଗ ପ୍ରତିଷେଧକ ପାଇଁ ବ୍ୟବହୃତ ହେଉଥିବା ବିସିଜି କେବଳ ନବଜାତ ଶିଶୁଙ୍କୁ ନୁହେଁ ବରଂ ଟୀକା ନେଇଥିବା ଅନେକ ଲୋକଙ୍କ କରୋନା ଜନିତ ମୃତ୍ୟୁ ବିପଦକୁ ହ୍ରାସ କରିପାରିଛି! ଏକ ଅଧ୍ୟୟନ ଦ୍ଵାରା ଏ ସମ୍ପକିର୍ତ ଅନେକ ପ୍ରମାଣ ପାଇଛନ୍ତି ବୋଲି ଆଉ ଜଣେ ଭାରତୀୟ – ହ୍ୟୁଷ୍ଟନରେ ଥିବା ଏମଡି ଆଣ୍ଡରସନ କର୍କଟ କେନ୍ଦ୍ରର ଗବେଷକ ପ୍ରଫେସର ଆଶିଷ କାମାଥ ଦାବି କରନ୍ତି! ଏହି କେନ୍ଦ୍ର ନିକଟରେ କରିଥିବା ଏକ ଅଧ୍ୟୟନରେ ଦର୍ଶାଯାଇଛି ଯେ ବିସିଜି ଟୀକା ଦିଆଯାଉଥିବା ଦେଶମାନଙ୍କରେ COVID-19 ମୃତ୍ୟୁ ହାର ପ୍ରତି ନିୟୁତରେ 4.28 ହୋଇଥିବାବେଳେ ଏହି ଟୀକା ଦେଉନଥିବା ଦେଶରେ ଏହା ପ୍ରତି ନିୟୁତରେ 40 ଥିଲା, ପ୍ରାୟ ଦଶ ଗୁଣ!

କରୋନାଭାଇରସ୍ ପାଇଁ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ଦ୍ୱାରା କୌଣସି ଚିକିତ୍ସା ଅନୁମୋଦନ ପାଇନଥିଲେ ବି
ଭାଣ୍ଡରବିଲ୍ଟ ୟୁନିଭରସିଟି – ସ୍କୁଲ ଅଫ୍ ମେଡିସିନ୍‌ର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ୱିଲିୟମ୍ ଶାଫନର୍ ମଧ୍ଯ ବିସିଜି ସପକ୍ଷରେ ଏହି ଧାରଣାକୁ ସ୍ୱୀକାର କରିଛନ୍ତି। ଯକ୍ଷ୍ମା ଏବଂ କରୋନା ସଂକ୍ରମଣ ଦୁଇଟି ଭିନ୍ନ ରୋଗ – ଯକ୍ଷ୍ମା ଏକ ପ୍ରକାର ଜୀବାଣୁ ଦ୍ଵାରା ହୋଇଥିବାବେଳେ କୋଭିଡ -19 ଏକ ଭୂତାଣୁ ଦ୍ଵାରା ହୋଇଥାଏ। ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ଇମ୍ୟୁନୋବିଓଲୋଜି ନିର୍ଦ୍ଦେଶକ ତଥା ହାର୍ଭାର୍ଡ ମେଡିକାଲ୍ ସ୍କୁଲର ଆସୋସିଏଟ୍ ପ୍ରଫେସର ଡକ୍ଟର ଡେନିସ୍ ଫଷ୍ଟମ୍ୟାନ୍ ଙ୍କ ଅନୁଯାୟୀ ବିସିଜି ଟୀକା ନିଜର ପ୍ରଭାବୀ ସୁଗୁଣ ପାଇଁ ଲୋକଙ୍କୁ ଯକ୍ଷ୍ମା ବ୍ୟତୀତ ଅନ୍ୟ ରୋଗରୁ ବି ରକ୍ଷା କରିବାରେ ସାହାଯ୍ୟ କରିପାରେ l

ବର୍ତ୍ତମାନ ଅଷ୍ଟ୍ରେଲିଆ, ଜର୍ମାନୀ ଓ ନେଦରଲ୍ୟାଣ୍ଡ ଭଳି ଦେଶ COVID-19 ବିରୋଧରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ବିସିଜି ଦେବା ଆରମ୍ଭ କରିଛନ୍ତି। ସେମାନେ ସମାନ ବିସିଜି ଟୀକା ବ୍ୟବହାର କରୁଛନ୍ତି ଯାହାକୁ ଆମେ ଏଠାରେ ଦେଉଛୁ! କେବଳ
ଜର୍ମାନୀ, ବିସିଜିର ଏକ ନୂତନ ସଂସ୍କରଣ ବ୍ୟବହାର କରୁଛି ଯାହା ଏକ ଜେନେଟିକ୍ ରୂପାନ୍ତରିତ ଷ୍ଟ୍ରେନ୍ ଯେଉଁଥିରେ ସେମାନେ ଗୋଟିଏ ଜିନ୍ ଅପସାରଣ କରି ଅନ୍ୟ ଏକ ଜିନ୍ ଯୋଗ କରିଛନ୍ତି | ତେଣୁ ଏହା କରୋନାଠୁ ଭଲ ପ୍ରତିରକ୍ଷା ପ୍ରତିକ୍ରିୟା ଦେଉଛି ବୋଲି ପ୍ରଫେସର ଗୋବର୍ଦ୍ଧନ ଦାସ ଦାବି କରୁଛନ୍ତି |

ଲକ୍ଷାଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିବା COVID-19 କରୋନା ପାଇଁ ଏଯାଏଁ ବ୍ୟବହାର୍ଯ୍ୟ ଟୀକା ବା ଔଷଧ ବାହାରି ନାହିଁ l ସାରା ବିଶ୍ୱରେ ଗବେଷଣା ଜାରୀ ରହିଛି, ଏଭଳି ଜଟିଳ ସ୍ଥିତିରେ ବିଶେଷଜ୍ଞମାନଙ୍କ ମତ, କରୋନା ବିରୋଧୀ ଯୁଦ୍ଧରେ କିଛିଟା ଆଶା ଓ ଭରସା ସଂଚାର କରିଛି!!

Comments (0)
Add Comment