ପୋର୍ଟବ୍ଲେୟାର : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ବୁଧବାର ଆଣ୍ଡାମାନ ନିକୋବର ଦ୍ୱୀପ ପୁଞ୍ଜରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରୁଥିବା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କରିଛି । ମିସାଇଲର ପରୀକ୍ଷଣ ଦେଖିବା ପାଇଁ ଏୟାର ଚିଫ ମାର୍ଶଲ ଭିଆର ଚୌଧୁରୀ ଏବଂ ଅନ୍ୟ ପ୍ରତିରକ୍ଷା ଅଧିକାରୀ ଉପସ୍ଥିତ ଥିଲେ । ମିସାଇଲ ପରୀକ୍ଷଣରେ ସଠିକ୍ ଲକ୍ଷ୍ୟଭେଦ କରିଥିବା ଅଧିକାରୀ କହିଛନ୍ତି । ଏୟାର ଚିଫ୍ ମାର୍ଶଲ ଭିଆର ଚୌଧୁରୀ ସଫଳ ପରୀକ୍ଷଣ ନେଇ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି । ସେ ପରିଚାଳନା ପ୍ରସ୍ତୁତିର ସମୀକ୍ଷା ପାଇଁ ଆଣ୍ଡମାନ ଏବଂ ନିକୋବର ଦ୍ୱୀପ ପୁଞ୍ଜ ଗସ୍ତ କରିଥିଲେ । ଏହା ପୂର୍ବରୁ ୨୦୨୧ ଡିସେମ୍ବର ୮ରେ ବାୟୁସେନାର ଲଢୁଆ ବିମାନ ସୁଖୋଇ-୩୦ ଏମକେ-୧ରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ଏୟାର ଭର୍ସନର ସଫଳ ପରୀକ୍ଷଣ କରାଯାଇଥିଲା । ମିସାଇଲ ସଠିକ୍ ଲକ୍ଷ୍ୟଭେଦ କରି ଶତ୍ରୁର ଠିକଣାକୁ ଧ୍ୱସ୍ତ କରିଥିଲା । ଏହି କ୍ରୁଜ ମିସାଇଲକୁ ସଂପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରାଯାଇଛି ।