ଭାରତରେ ଚାଲିବ ଉଡ଼ନ୍ତା ବସ୍‌!

ନୂଆଦିଲ୍ଲୀ,୧/୪ : ଦେଶରେ ଟ୍ରାଫିକ ସମସ୍ୟା ଏବେ ବି ଗୁରୁତର ସ୍ଥିତିରେ ରହିଛି । ଏଥିଯୋଗୁ ଦୁର୍ଘଟଣା ବଢୁଛି ଏବଂ ଉତ୍ତେଜନା ଦେଖାଦେଉଛି । ଏହି ସମସ୍ୟା ଦୂର କରିବା ପାଇଁ ବିଭାଗୀୟ ମନ୍ତ୍ରୀ ନିତୀନ ଗଡ଼କରି ଏକ ଅଭିନବ ପରିକଲ୍ପନା ପ୍ରସ୍ତୁତ କରିଛନ୍ତି । ଟ୍ରାଫିକ ସମସ୍ୟାକୁ ଦୂର କରିବାକୁ ଏବେ ଦେଶରେ ଚାଲିବାକୁ ଯାଉଛି ଉଡନ୍ତା ବସ୍‌ । ଏନେଇ ନିଜେ ଗଡକରୀ ତାଙ୍କର ଟ୍ୱିଟର ହ୍ୟାଣ୍ଡଲ ମାଧ୍ୟମରେ ସୂଚନା ଦେଇଛନ୍ତି । ଏରିୟଲ ଟ୍ରାମ ଏକ ଅତ୍ୟାଧୁନିକ ଗମନାଗମନ ରାସ୍ତା । ସ୍ଥଳପଥରେ ଟ୍ରାଫିକ ସମସ୍ୟା ଓ ଲୋକାଲ ଟ୍ରେନରେ ଭିଡ ସମସ୍ୟାରୁ ମୁକ୍ତି ଦେବାକୁ ଏହି ଏରିୟଲ ଟ୍ରାମ ନିର୍ମାଣ କରାଯାଉଛି । କେବଳ ରାଜମାର୍ଗ ନୁହେଁ ବରଂ ପାହାଡିଆ ଅଞ୍ଚଳର ଦୁର୍ଗମ ରାସ୍ତା ସମସ୍ୟାର ସମାଧାନ ପାଇଁ ଏହା ସବୁଠାରୁ ଅଧିକ ଉପଯୋଗୀ ହେବ ବୋଲି କୁହାଯାଇଛି । ସୂଚନା ମୁତାବକ ଏହି ଏରିୟଲ ଟ୍ରାମରେ ବସଗୁଡିକ ୨୫ ରୁ ୨୩୦ ଜଣ ଯାତ୍ରୀଙ୍କୁ ଧରି ଉଡନ୍ତା ଅବସ୍ଥାରେ ଚାଲିପାରିବ । ଏହି ଟ୍ରାମ ଉପରେ ବସର ଗତି ଘଣ୍ଟା ପ୍ରତି ୪୫ କିଲୋମିଟର ବେଗରେ ଚାଲିପାରିବ । ଏହା କେବଳ ଯାତ୍ରୀ ପରିବହନ ପାଇଁ ନୁହେଁ ବରଂ ବଡ ବଡ ସହରରେ ଜିନିଷପତ୍ର ପରିବହନ କାମରେ ମଧ୍ୟରେ ବ୍ୟବହାର କରାଯାଇ ପାରିବ । ଏରିୟଲ ଟ୍ରାମ ଏବେ ଭାରତରେ କିଛି ପର୍ଯ୍ୟଟନସ୍ଥଳୀରେ ଦେଖିବାକୁ ମିଳୁଛି । ମାତ୍ର ୟୁରୋପ ଓ ଆମେରିକା ଭଳି ଦେଶମାନଙ୍କରେ ଏହାର ବହୁଳ ବ୍ୟବହାର ହେଉଛି ।

Comments (0)
Add Comment