ନୂଆଦିଲ୍ଲୀ : ଏକ ଅଧ୍ୟୟନ ଦାବି କରିଛି ଯେ ସ୍ୱଦେଶୀ କରୋନା ଟିକା କୋଭାକ୍ସିନ ଅପେକ୍ଷା ପ୍ରଥମ ଡୋଜ ପରେ କୋଭିଶିଲ୍ଡ ଅଧିକ ଆଣ୍ଟିବଡି ଉତ୍ପାଦନ କରିବାରେ ସକ୍ଷମ ହେଉଛି । କରୋନା ଭାଇରସ୍ ଭ୍ୟାକ୍ସିନ୍-ପ୍ରେରିତ ଆଣ୍ଟିବଡି ଟାଇଟ୍ରେ (ସିଓଭିଏଟି) ଦ୍ୱାରା କରାଯାଇଥିବା ପ୍ରାରମ୍ଭିକ ଅଧ୍ୟୟନରେ ଏହା ଦାବି କରାଯାଇଛି । ଏହି ଅଧ୍ୟୟନରେ ୫୫୨ ସ୍ୱାସ୍ଥ୍ୟ ସେବା କର୍ମଚାରୀ ସାମିଲ ହୋଇଥିଲେ । ଅଧ୍ୟୟନରେ ଦର୍ଶାଯାଇଛି ଯେ କୋଭାଶିଲ୍ଡ ଟିକା ଗ୍ରହଣ କରିଥିବା ଲୋକଙ୍କ ମଧ୍ୟରେ ସେରୋପୋଜିଟିଭିଟି ହାର ଏବଂ ଆଣ୍ଟି-ସ୍ପାଇକ୍ ଆଣ୍ଟିବଡି ପରିମାଣ କୋଭାକ୍ସିନ୍ର ପ୍ରଥମ ଡୋଜ ଗ୍ରହଣ କରିଥିବା ଲୋକଙ୍କ ତୁଳନାରେ ଯଥେଷ୍ଟ ଅଧିକ ଥିଲା ।
ଅଧ୍ୟୟନରେ ଦର୍ଶାଯାଇଛି ଯେ ଉଭୟ ଡୋଜ ପରେ ଉଭୟ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ପ୍ରତିକ୍ରିୟା ଭଲ ଥିଲା, କିନ୍ତୁ କୋଭିଶିଲ୍ଡରେ ସେରୋପୋଜିଟିଭିଟି ହାର ଏବଂ ଆଣ୍ଟି-ସ୍ପାଇକ୍ ଆଣ୍ଟିବଡି ଅଧିକ ଥିଲା । ପ୍ରଥମ ଡୋଜ୍ ପରେ ସାମଗ୍ରିକ ସେରୋପୋଜିଟିଭିଟି ହାର ୭୯.୩% ଥିଲା । ସର୍ବେକ୍ଷଣରେ ସାମିଲ ହୋଇଥିବା ୪୫୬ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭାଶିଲ୍ଡର ପ୍ରଥମ ଡୋଜ୍ ଏବଂ ୯୬ ଜଣଙ୍କୁ କୋଭାକ୍ସିନର ପ୍ରଥମ ଡୋଜ ଦିଆଯାଇଥିଲା ।