ଆସନ୍ତାକାଲିଠୁ ଡାଭୋସ ସମ୍ମିଳନୀ

ନୂଆଦିଲ୍ଲୀ,୧୬/୧ : ଭର୍ଚୁଆଲ ମାଧ୍ୟମରେ ଆସନ୍ତାକାଲିଠୁ ଆରମ୍ଭ ହେବ ଡାଭୋସ ଶିଖର ସମ୍ମିଳନୀ । ଏହି ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫ ଦିନ ଧରି ଚାଲିବ ଏହି ଶିଖର ସମ୍ମିଳନୀ । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ‘ବୈଶ୍ୱିକ ସ୍ଥିତି’ ବିଷୟ ଉପରେ ସମ୍ୱୋଧିତ କରିବେ । କରୋନା ପାଇଁ ଲଗାତାର ଦ୍ୱିତୀୟ ଥର ପାଇଁ ଡାଭୋସ ଏଜେଣ୍ଡା ଶିଖର ସମ୍ମିଳନୀର ଆୟୋଜନ ଭର୍‌ଚୁଆଲ ମାଧ୍ୟମରେ କରାଯାଉଛି । ସୋମବାର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମ୍ୱୋଧନ ସହ ଏହି ଶିଖର ସମ୍ମିଳନୀର ଆରମ୍ଭ ହେବ । ଏହାପରେ ଦୁଇଟି ଭର୍‌ଚୁଆଲ ଅଧିବେଶନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାତି ୮.୩୦ରେ ଶିଖର ସମ୍ମିଳନୀକୁ ସମ୍ୱୋଧନ କରିବେ । ମୋଦିଙ୍କ ପରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟେରେସ ସମ୍ମିଳନୀକୁ ସମ୍ୱୋଧିତ କରିବେ । ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫ୍‌ତାଲୀ ବେନେଟ ଏବଂ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିୟୋ ସମ୍ୱୋଧନ କରିବେ ।

Comments (0)
Add Comment