ବାଙ୍ଗାଲୋର : ଲୋକମାନେ ଡାକ୍ତରଙ୍କୁ ଭଗବାନର ଆଖ୍ୟା ଦେଇଥାନ୍ତି । ସେହିପରି ଜଣେ ଡାକ୍ତରଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାଙ୍ଗାଲୋରର ଜଣେ ଡାକ୍ତର ରାସ୍ତାରେ ଦୌଡୁଛନ୍ତି । ତାହାର କାରଣ ଜାଣିଲେ ଆପଣ ମଧ୍ୟ ତାଙ୍କୁ ସଲାମ କରିବେ । ସୂଚନାଯୋଗ୍ୟ ଯେ, ସେ ଯାଉଥିବା କାରଟି ଟ୍ରାଫିକ୍ ଜାମରେ ଫଶିଯିବା ଯୋଗୁଁ ତାଙ୍କୁ ଡାକ୍ତରଖାନା ଯିବାକୁ ବିଳମ୍ବ ହୋଇଥିଲା । ଡାକ୍ତରଖାନାରେ ଜଣେ ରୋଗୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାର କରିବାର ଥିଲା ଡାକ୍ତର ଜଣଙ୍କୁ, କିନ୍ତୁ ଟ୍ରାଫିକ୍ ଜାମ୍ ଯୋଗୁଁ ତାଙ୍କ ପହଞ୍ଚିବାରେ ବିଳମ୍ବ ହେଉଥାଏ । ସେ ଏହି ସମୟରେ ଅନ୍ୟ କୌଣସି ଉପାୟ ନ ପାଇଁ ମଝି ରାସ୍ତାରେ କାର୍ ଓ ଡ୍ରାଇଭରଙ୍କୁ ଛାଡି ଡାକ୍ତରଖାନା ଆଡକୁ ଦୌଡିିଥିଲେ । ଏହି ଡାକ୍ତରଙ୍କ ନାମ ହେଉଛି ଗୋବିନ୍ଦ ନନ୍ଦକୁମା । ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଡାକ୍ତର କହିଥିଲେ ଯେ ସେ ଏକ ଜାମରେ ଅଟକି ଯାଇଥିଲେ । ଡାକ୍ତରଙ୍କୁ କୁନିଙ୍ଗହାମ ରୋଡରୁ ସରଜାପୁରର ମଣିପାଲ ହସ୍ପିଟାଲରେ ପହଞ୍ଚିବାକୁ ଥିଲା । ଏହା ପରେ ସେ ଗୁଗୁଲ୍ ମ୍ୟାପ୍ ଯାଞ୍ଚ କରି ଦେଖିଲେ ଯେ ଜାମ ହେତୁ ଡାକ୍ତରଖାନାରେ ପହଞ୍ଚିବାକୁ ୪୫ ମିନିଟ୍ ଅଧିକ ସମୟ ଲାଗିବ । ଡାକ୍ତର କହିଥିଲେ ଯେ କାର ଏବଂ ଡ୍ରାଇଭର ଛାଡି ସେଠାରୁ ସେ ଦୌଡିବାକୁ ଲାଗିଥିଲେ ।
ରିପୋର୍ଟ ଅନୁଯାୟୀ, ଡାକ୍ତର ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ ଏବଂ ଅନ୍ୟ ରୋଗୀମାନେ ମଧ୍ୟ ଡାକ୍ତରଙ୍କୁ ଅପେକ୍ଷା କରିଥିଲେ । ଜାମ ମଧ୍ୟରେ ଡାକ୍ତର ତାଙ୍କ କାରରୁ ଓହ୍ଲାଇ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ଡାକ୍ତରଖାନାରେ ପହଞ୍ଚିବା ପାଇଁ ପାଦରେ ଦୌଡିଥିଲେ । ଏହି ସମୟରେ ସେ ତାଙ୍କ ଫୋନରୁ ଏକ ଭିଡିଓ ମଧ୍ୟ କରିଛନ୍ତି ।ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।