ବ୍ୟାଘ୍ର ସଂରକ୍ଷଣରେ ଭୟଙ୍କର ଅଗ୍ନିକାଣ୍ଡ

ଜୟପୁର,୨୯/୩ : ରାଜସ୍ଥାନର ପ୍ରସିଦ୍ଧ ସାରିସ୍କା ବ୍ୟାଘ୍ର ସଂରକ୍ଷଣରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଏତେ ଭୟଙ୍କର ବେଗରେ ବ୍ୟାପୁଛି ଯେ ତାହାକୁ ନିୟନ୍ତ୍ରଣ କରିବା ସମ୍ଭବପର ହୋଇପାରୁ ନାହିଁ । ବାୟୁସେନାର ଏକାଧିକ ହେଲିକପ୍ଟର ପାଣି ପକାଯାଉଛି । କର୍ମଚାରୀମାନେ ଦିନରାତି ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ନିଆଁ ୧୦ ବର୍ଗ କିମି ଅଞ୍ଚଳ ବ୍ୟାପିଛି । ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବାୟୁସେନାର ଦୁଇଟି ହେଲିକପ୍ଟର ନିୟୋଜିତ ହୋଇଛନ୍ତି । ସେମାନେ ଆକାଶ ମାର୍ଗରୁ ପାଣି ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସୋମବାର ସନ୍ଧ୍ୟାରେ ସାରିସ୍କା ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ନିଆଁ ଲାଗିଥିଲା । ପ୍ରାଥମିକ ଅବସ୍ଥାରେ ବନ ଅଧିକାରୀମାନେ ଏହାକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ତେବେ ନିଆଁ ଆୟତ୍ତ ନ ହେବାରୁ ବାୟୁସେନାର ସହାୟତା ନିଆଯାଇଛି । ବାୟୁସେନାର ହେଲିକପ୍ଟରଗୁଡିକ ସିଲିସେର ହ୍ରଦରୁ ପାଣି ଆଣି ନିଆଁ ଲାଗିଥିବା ଅଞ୍ଚଳରେ ପକାଉଛନ୍ତି । ଏହି ହ୍ରଦଟି ଜଙ୍ଗଲ ଠାରୁ ୪୩ କିମି ଦୂର । ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ନିକଟସ୍ଥ ୩ଟି ଗାଁ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ତେଣୁ ଗାଁ ଲୋକଙ୍କୁ ଆଲର୍ଟରେ ରହିବାକୁ କୁହାଯାଇଛି । ଏସ୍‌୧୭(କୋଡ ନାଁ) ବାଘୁଣୀ ରହୁଥିବା ଅଞ୍ଚଳ ପ୍ରତି ମଧ୍ୟ ନିଆଁ ବିପଦ ସୃଷ୍ଟି କରିଛି । ଏଠାରେ ବାଘୁଣୀଟି ତା’ର ଦୁଇ ଛୁଆଙ୍କ ସହ ରହିଥିବା ବନ ଅଧିକାରୀମାନେ କହିଛନ୍ତି ।

Comments (0)
Add Comment