ଟିଏମ୍‌ସିରେ ସାମିଲ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ

କୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିବା ପରେ ଅନେକ ନେତା ଟିଏମସିରେ ଯୋଗ ଦେଇଛନ୍ତି । ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା କଂଗ୍ରେସର ପୂର୍ବତନ ସାଂସଦ ଅଭିଜିତ ମୁଖାର୍ଜୀ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି । ସେ ବରିଷ୍ଠ ଟିଏମସି ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିବା ଜଣାପଡିଛି । ଆଜି ଅଭିଜିତଙ୍କ ମିଶ୍ରଣ ପାଇଁ କୋଲକାତାରେ ଟିଏମସିର ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଟିଏମସିର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟୟ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଧିବଦ୍ଧ ଭାବେ ମମତାଙ୍କ ଦଳର ପତାକା ଧରିଛନ୍ତି।
କଂଗ୍ରେସ ଟିକେଟରୁ ଅଭିଜିତ ଜଙ୍ଗିପୁରରୁ ଲୋକସଭା ଯାଇଥିବା ବେଳେ ନଲହାଟିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏବେ ସେ ଟିଏମସିରେ ମିଶିଥିବାରୁ ଦଳ ତାଙ୍କୁ ଜଙ୍ଗିପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ।

ଉଲ୍ଲେଖ ଥାଉ କି ନିକଟରେ ଅଭିଜିତ ବାନାର୍ଜୀ ନକଲି ଟିକା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ ।
ଅଭିଜିତ୍‌ ମୁଖାର୍ଜୀ ଟ୍ୱିଟରରେ ଲେଖିଥିଲେ ଯେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଭୁଲ କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଏବଂ ମମତା ବାନାର୍ଜୀଙ୍କୁ ଦାୟୀ କରିବା ଠିକ୍‌ ନୁହେଁ । ଯଦି ଏହା ହେଉଛି, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ମେହୁଲ ଚୋକସି, ନୀରବ ମୋଦୀ ଏବଂ ବିଜୟ ମାଲ୍ୟାଙ୍କ ସହ ଜଡିତ ମାମଲା ପାଇଁ ଦାୟୀ କରାଯାଇପାରିବ ।
ସୂଚନାଯୋଗ୍ୟ ଯେ, ନିକଟରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ଟିଏମ୍‌ସିକୁ ଫେରିଥିଲେ ।

Comments (0)
Add Comment