କୋଲକାତା : ଦେଶରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ପଶ୍ଚିମ ବଙ୍ଗରେ ସ୍ଥିତି ଗୁରୁତର ହୋଇପଡ଼ିଥିବା ବେଳେ କାଲକାଟା ହାଇକୋର୍ଟଙ୍କର ଆଜିର ଏକ ରାୟ ଅନେକଙ୍କୁ ବିସ୍ମିତ କରିଛି । ରାଜ୍ୟର ପ୍ରସିଦ୍ଧ ଗଙ୍ଗା ସାଗର ମେଳାକୁ ଅନୁମତି ନଦେବା ଲାଗି ପ୍ରାର୍ଥନା କରି ଏକ ପିଟିସନ କୋର୍ଟରେ ଆଗତ ହୋଇଥିଲା । ସାଂପ୍ରତିକ ବିସ୍ଫୋରକ ସଂକ୍ରମଣ ସ୍ଥିତି ଦୃଷ୍ଟିରୁ କୋର୍ଟ ମେଳାକୁ ଅନୁମତି ଦେବେ ନାହିଁ ବୋଲି ଆବେଦନକାରୀ ବିଶ୍ୱାସ ରଖିଥଲେ । କିନ୍ତୁ ତାହାର ବିପରୀତ କଥା ଘଟିଲା । କୋର୍ଟ ଏହି ଆବେଦନକୁ ଖାରଜ କରି ମେଳା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ଏହି ମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବର୍ତ୍ତମାନର ସ୍ଥିତିରେ ମେଳା ହେଲେ ତାହା ସଂକ୍ରମଣକୁ ବହୁ ସଂଖ୍ୟାରେ ବଢାଇ ପରିସ୍ଥିତିକୁ ସାଂଘାତିକ କରିବ ବୋଲି ଆବେଦନକାରୀ ତାଙ୍କ ପିଟିସନରେ ଦର୍ଶାଇଥିଲେ ।