ନୂଆଦିଲ୍ଲୀ: ଗତକାଲି ଭାରତରେ କରୋନା ଦୈନିକ ସଂକ୍ରମଣରେ ସବୁ ରେକର୍ଡ଼ ଅତିକ୍ରମ କରିଥିଲା । ଗତକାଲି ୬୪ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ଆଜି ତାହା ହ୍ରାସ ପାଇ ୬୨ ହଜାରରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୬୨ ହଜାର ୬୪ଜଣ ଆକ୍ରାନ୍ତ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର ୭୪ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪୪ ହଜାର ୩୮୬କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଏକ ହଜାରରୁ ଊର୍ଦ୍ଧ୍ୱ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ତେବେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ୩୫ ହଜାର ୭୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ରରେ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । କାରଣ ଏହି ରାଜ୍ୟ ଦେଶର ସବୁଠାରୁ କରୋନା ପ୍ରଭାବିତ ରାଜ୍ୟ ଭାବେ ଏବେବି ତାଲିକାର ପ୍ରଥମ ସ୍ଥାନରେ ରହିଛି । ଏ ଦୃଷ୍ଟିରୁ ଦ୍ରୁତ ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।
ଏହି କ୍ରମରେ ମୁମ୍ବାଇରେ ବ୍ୟକ୍ତିର ସ୍ୱରକୁ ବ୍ୟବହାର କରି କରୋନା ପରୀକ୍ଷଣ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ସପ୍ତାହରେ ମୁମ୍ବାଇର ଗୋରେଗାଓଁ ସ୍ଥିତ ନେସ୍କୋ କୋଭିଡ ସେଣ୍ଟରରେ ୧୦୦୦ ଜଣ ବ୍ୟକ୍ତିଙ୍କ ସ୍ୱରକୁ ବ୍ୟବହାର କରି କରୋନା ପରୀକ୍ଷଣ କରାଯିବ ବୋଲି ବିଏମ୍ସିର ଅତିରିକ୍ତ କମିଶନର ସୁରେଶ କାକାନୀ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଉଭୟ କରୋନା ସନ୍ଦିଗ୍ଧ ଏବଂ କରୋନା ସଂକ୍ରମିତ ବ୍ୟକ୍ତି ସାମିଲ ରହିବେ ।
ସ୍ୱର ଟେଷ୍ଟରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଲେ ଏହା ସୁନିଶ୍ଚିତ କରିବା ନିମନ୍ତେ ତାଙ୍କର ଆର୍ଟି-ପିସିଆର୍ ଟେଷ୍ଟ କରାଯିବ । ସ୍ୱର ଟେଷ୍ଟରେ ମାତ୍ର ୩୦ ମିନିଟ ମଧ୍ୟରେ ଫଳାଫଳ ଜଣାପଡିବ । ଏବେ ମୁମ୍ବାଇରେ ଆର୍ଟି-ପିସିଆର୍ ବ୍ୟତୀତ ଆଣ୍ଟିଜେନ୍ ଟେଷ୍ଟ ଦ୍ୱାରା ମଧ୍ୟ ରୋଗୀ ଚିହ୍ନଟ ହେଉଛନ୍ତି । ନେସ୍କୋ କୋଭିଡ ସେଣ୍ଟରରେ ଯଦି ଏହା ସକରାତ୍ମକ ଫଳାଫଳ ଦିଏ ତେବେ ମୁମ୍ବାଇର ଅନ୍ୟ ସ୍ଥାନରେ ମଧ୍ୟ ଏହି ଟେଷ୍ଟ ଆରମ୍ଭ କରାଯିବ ବୋଲି କାକାନୀ ପ୍ରକାଶ କରିଛନ୍ତି ।
ଇସ୍ରାଏଲ, ଫ୍ରାନ୍ସ, ଇଟାଲୀ ସମେତ କେତେକ ୟୁରୋପୀୟ ଦେଶରେ ଏହି କୌଶଳ ବ୍ୟବହାର କରି କରୋନା ପରୀକ୍ଷା ହେଉଛି । ଆର୍ଟି-ପିସିଆର୍ ଟେଷ୍ଟ ପାଇଁ ଅତିକମ୍ରେ ୨୪ ଘଣ୍ଟା ସମୟ ଲାଗୁଥିବା ବେଳେ ଏହା ମାତ୍ର ୩୦ ମିନିଟରେ ଶେଷ ହୋଇ ପାରୁଥିବାରୁ ଏହା ରୋଗୀ ଚିହ୍ନଟରେ ବେଶ୍ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ସୂଚନା ମୁତାବକ, ସ୍ୱର ତରଙ୍ଗକୁ ଏହି ଟେଷ୍ଟର ମୁଖ୍ୟ ଉପାଦାନ ଭାବେ ଗ୍ରହଣ କରାଯିବ । ଜଣେ କରୋନା ସଂକ୍ରମିତ ହେଲେ ଫୁସଫୁସର ମାଂସପେଶୀ ପ୍ରଭାବିତ ହୋଇଥାଏ । ଫଳରେ ବ୍ୟକ୍ତିର ସ୍ୱର ବଦଳି ଯାଇଥାଏ । ଏଣୁ ଉକ୍ତ ପରିବର୍ତ୍ତିତ ସ୍ୱରରେ ହିଁ ଜଣେ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଚିହ୍ନଟ କରାଯିବ ବୋଲି ଜଣାପଡିଛି ।