ଆରଆରଆର ଫିଲ୍ମ ଉପରେ ଏମିତି ପ୍ରତିକ୍ରିୟା ରଖିଲେ କେନ୍ଦ୍ର ବାଣିଜ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩/୪: ଭାରତର ଅର୍ଥନୀତି ଏବଂ ଫିଲ୍ମ ଆରଆରଆର ରେକର୍ଡ ଆୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ । ଗୋୟଲ କହିଛନ୍ତି, ଦେଶରୁ ୪୧୮ ବିଲିୟନ ଡଲାର ଅର୍ଥାତ ୩୨ ଲକ୍ଷ କୋଟି ଟଙ୍କାର ରପ୍ତାନୀ ହୋଇଛି । ଯାହା ଧାର୍ଯ୍ୟ ଲକ୍ଷ୍ୟଠାରୁ ୫ ପ୍ରତିଶତ ଅଧିକ । ମୋଦୀ ସରକାରଙ୍କ ଦୂରଦର୍ଶୀ ନୀତି ଯୋଗୁଁ ଭାରତର ରପ୍ତାନୀ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ସବୁ କ୍ଷେତ୍ରରେ ରପ୍ତାନୀ ବୃଦ୍ଧି ପାଇଛି । ପୂର୍ବରୁ କେବଳ ବିକାଶଶୀଳ ଦେଶଗୁଡିକକୁ ଭାରତ ରପ୍ତାନୀ କରୁଥିଲା କିନ୍ତୁ ଏବେ ବିକଶିତ ଦେଶ ଗୁଡିକୁ ମଧ୍ୟ ରପ୍ତାନୀ କରୁଛି । କେନ୍ଦ୍ରମନ୍ତ୍ରୀ ଉଦାହରଣ ଦେଇ କହିଛନ୍ତି, ଚୀନକୁ ସବୁଠୁ ଅଧିକ ରତ୍ନ ଏବଂ ଜୁଏଲରୀ ରପ୍ତାନୀ ହୋଇଛି । ଭାରତ ଆତ୍ମନିର୍ଭରତା ଦିଗରେ ଆଗକୁ ବଢୁଛି । ପୀୟୂଷ ଗୋୟଲ କହିଛନ୍ତି, ପ୍ରତି ମାସରେ ୩୦ ବିଲିୟନ ଡଲାରରୁ ଅଧିକ ରପ୍ତାନୀ କରାଯାଉଛି । କରୋନାର ଦୁଇଟି ଲହର ପରେ ଦେଶ ଏହି ଉପଲବ୍ଧି ହାସଲ କରିଛି । ଫିଲ୍ମ ଆରଆରଆର କଥା ଉଲ୍ଲେଖ କରି ସେ କହିଛନ୍ତି, ଶୁଣିବାକୁ ପାଉଛି ଏହା ଭାରତର ସବୁଠାରୁ ସଫଳ ଫିଲ୍ମ ହେବାକୁ ଯାଉଛି । ଏହିପରି ଭାରତ ମଧ୍ୟ ସବୁ କ୍ଷେତ୍ରରେ ସଫଳତା ହାସଲ କରୁଛି । ଏହି ଫିଲ୍ମ ଭାରତ ଇତିହାସର ସବୁଠୁ ବଡ଼ ଫିଲ୍ମ ହେବାକୁ ଯାଉଛି । ୭୫୦ କୋଟି ଟଙ୍କା ଆୟ କରିସାରିଛି । ମୁଁ ଅନୁଭବ କରୁଛି ଏହିପରି ଭାରତର ଅର୍ଥବ୍ୟବସ୍ଥା ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛି ।

Comments (0)
Add Comment