GST ନିୟମରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ୧ ମାର୍ଚ୍ଚ ୨୦୨୪ ରୁ ଜୀଏସଟୀ ନିୟମ ପରିବର୍ତ୍ତନ ହେବ । ବର୍ତ୍ତମାନ ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଇ-ଚାଲାଣ ବିନା ଇ-ୱେ ବିଲ୍ ଜେନେରେଟ କରିପାରିବେ ନାହିଁ । ଦ୍ରବ୍ୟ ଏବଂ ସେବା କର ନିୟମ ଅନୁଯାୟୀ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କୌଣସି ଦ୍ରବ୍ୟ କାରବାର ନିମନ୍ତେ ଇ-ୱେ ବିଲ ଆବଶ୍ୟକ ହୋଇଥାଏ । ନିକଟରେ ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର (NIC) ଏକ ଯାଞ୍ଚରୁ ଜାଣିବାକୁ ପାଇଛି ଯେ ଏମିତି ଅନେକ ଟିକସଦାତା ଅଛନ୍ତି ଯେଉଁମାନେ ବିଜନେସ୍ ଟୁ ବିଜନେସ୍ ଏବଂ ଏକ୍ସପୋର୍ଟ କାରବାର ପାଇଁ ଇ-ଚାଲାଣ ବିନା ଇ-ୱେ ବିଲ୍ ଜେନେରେଟ୍ କରୁଛନ୍ତି । ଏହା ନିୟମର ଉଲଂଘନ । ଅନେକ ସମୟରେ କାରବାରରେ ଇ-ୱେ ବିଲ୍ ଇ-ଚାଲାଣ ସହ ମେଳ ଖାଇ ନ ଥାଏ । ଏଭଳି ସ୍ଥିତିରେ ଟିକସ ଦେୟରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ନିୟମରେ ପରିବର୍ତ୍ତନ କରି ଇ-ୱେ ବିଲ୍ ପାଇଁ ଇ-ଚାଲାଣ ବାଧ୍ୟତାମୂଳକ କରିଛନ୍ତି ।ତେବେ ଏହି ନିୟମ କେବଳ ବ୍ୟବସାୟୀଙ୍କ ଉପରେ ଲାଗୁ ହେବ ଏବଂ ଗ୍ରାହକ ତଥା ଅନ୍ୟ ପ୍ରକାର କାରବାର ପାଇଁ ଇ-ୱେ ବିଲ୍ ସୃଷ୍ଟି କରିବା ଲାଗି ଇ- ଚାଲାଣ ବାଧ୍ୟତାମୂଳକ ନୁହେଁ । ଅପରପେକ୍ଷ ଗ୍ରାହକମାନଙ୍କ ଉପରେ ଏହି ପରିବର୍ତ୍ତୀତ ନିୟମର କୌଣସି ପ୍ରଭାବ ପଡ଼ିବନାହିଁ ବୋଲି କୁହାଯାଇଛି ।