୨୬/୧୧ ମୁମ୍ବାଇ ହମଲା ମାମଲା : ହାଫିଜକୁ ୩୧ ବର୍ଷ ଜେଲ୍‌

ଇସଲାମାବାଦ: ସମଗ୍ର ଦେଶକୁ ଥରାଇ ଦେଇଥିବା ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ଶେଷରେ ମିଳିଛିି ସଜ୍ଜା । ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଦାଲତ ଆଜି ଏହି ଭୟଙ୍କର ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ୩୧ ବର୍ଷର ଜେଲ ଦଣ୍ଡ ଦେଇଛନ୍ତି । ଆଜି ଦଣ୍ଡ ଘୋଷଣା ହେବାର ଥିବାରୁ କୋର୍ଟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହାଛଡ଼ା,ବିଚାରପତିମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କ ସୁରକ୍ଷା ବଢାଇ ଦିଆଯାଇଛି । ଗୋଟିଏ ପଟେ ପାକିସ୍ତାନରେ ଘୋର ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଆଜି ହାଫିଜର ଦଣ୍ଡ ଘୋଷଣା ଦେଶର ଆଭ୍ୟନ୍ତରୀଣ ସ୍ଥିତିକୁ ଆହୁରି ଗମ୍ଭୀର କରିଛି । ରାଜଧାନୀ ଇସଲାମାବାଦରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହାଫିଜକୁ ୩୧ ବର୍ଷ ଜେଲ ଦଣ୍ଡ ଏହା ସହ ୩.୪୦ ଲକ୍ଷ ଟଙ୍କା ଜରିମାନା ଲଗାଯିବା ସହିତ କୋର୍ଟ ତା’ର ସମସ୍ତ ସମ୍ପତ୍ତିକୁ ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ହାଫିଜ ସଇଦ ଦ୍ୱାରା ନିର୍ମିତ ମଦ୍ରାସା ଏବଂ ମସଜିଦଗୁଡିକ ମଧ୍ୟ ସରକାରୀ ନିୟନ୍ତ୍ରଣରେ ରଖାଯିବ । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ କରିଥିବା ଅଭିଯୋଗରେ ପାକିସ୍ତାନର ସିଆଇଡି ହାଫିଜ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହାପୂର୍ବରୁ ମଧ୍ୟ ସ୍ୱତନ୍ତ୍ର ଆତଙ୍କବାଦ ନିରୋଧୀ କୋର୍ଟ ସଇଦକୁ ଅନେକ ମାମଲାରେ ଦଣ୍ଡିତ କରିଛନ୍ତି ।

Comments (0)
Add Comment