ବିଶ୍ୱରେ ବଢୁଛି ଭାରତର ଗୁରୁତ୍ୱ : ୪ଟି ଦେଶକୁ ପଠାଇବ ଗହମ,ଚାଉଳ

ନୂଆଦିଲ୍ଲୀ : ବିଶ୍ୱରେ ଭାରତର ମହତ୍ୱ ଓ ଗୁରୁତ୍ୱ ବଢିବାରେ ଲାଗିଛି । ବିଭିନ୍ନ ଦେଶ ସେମାନଙ୍କର କତେକ ଗୁରୁତର ସମସ୍ୟା ସମାଧାନ ପାଇଁ ଭାରତ ଉପରେ ଅଧିକ ମାତ୍ରାରେ ନିର୍ଭର କରୁଛି । ଏବେ ଶ୍ରୀଲଙ୍କା ତା’ର ଖାଦ୍ୟାଭାବ ଦୂର କରିବା ପାଇଁ ଭାରତର ସାହାଯ୍ୟ ଲୋଡ଼ିଛି ଏବଂ ଭାରତ ମଧ୍ୟ ସାହାଯ୍ୟ ଦେବା ଆରମ୍ଭ କରିଦେଇଛି । ଭାରତର ଏହି ଭୂମିଖା ଆଗକୁ ଆହୁରି ବ୍ୟାପକ ହେବ । ୪ଟି ଗରିବ ଦେଶର ଲୋକଙ୍କ ପେଟକୁ ଦାନା ଯୋଗାଇବ ଭାରତ । ଏହି ୪ଟି ଦେଶ ହେଲେ ଆଫଗାନିସ୍ତାନ, ଇଥିଓପିଆ, ସିରିଆ ଓ ୟେମେନ । ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି) ଅଧିନରେ ଏସବୁ ଦେଶଙ୍କୁ ଚାଉଳ ଓ ଗହମ ପଠାଇବ ଭାରତ । କେନ୍ଦ୍ର ସରକାରଙ୍କ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏସବୁ ଦେଶଙ୍କୁ ଖାଦ୍ୟାନ୍ନ ପଠାଇବାକୁ ଗତ ଫେବ୍ରୁଆରି ମାସରେ ଭାରତ ସରକାର ଡବ୍ଲୁଏଫପି ସହ ଏକ ଚୁକ୍ତି କରିଛନ୍ତି । ମୂଳ ଚୁକ୍ତି ଅନୁସାରେ ଭାରତ ୨ ଲକ୍ଷ ଟନ ଗହମ ଓ ଚାଉଳ ( ୧.୯ ଲକ୍ଷ ଟନ ଗହମ ଓ ୦.୧ ଲକ୍ଷ ଟନ ଚାଉଳ) ଯୋଗାଇଥାନ୍ତା । ପରେ ଏହି ପରିମାଣକୁ ଆହୁରି ବୃଦ୍ଧି କରାଯାଇଛି । ଭାରତ ସରକାର ଏଫସିଆଇ ଦ୍ୱାରା ପରିଚାଳିତ ନିଜର କେନ୍ଦ୍ରୀୟ ଶସ୍ୟ ଭଣ୍ଡାରରୁ ଏସବୁ ଚାଉଳ ଓ ଗହମ ଯୋଗାଇବେ । ଏହା ଦ୍ୱାରା ଏସବୁ ଦେଶଙ୍କ ସହ ଭାରତର ସଂମ୍ପର୍କ ସୁଦୃଢ ହୋଇପାରିବ । ଏହା ସହିତ ଦେଶର ବଳକା ଚାଉଳ ଓ ଗହମର ଭଣ୍ଡାରଣ ଓ ରକ୍ଷଣାବେକ୍ଷଣ ବାବଦ ଖର୍ଚ୍ଚ ବଞ୍ଚିଯିବ । ଭାରତ ନିଜ ଆବଶ୍ୟକତାଠାରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିଥାଏ । ଅନେକ ସମୟରେ ବଳକା ଶସ୍ୟ ରଖିବାକୁ ସ୍ଥାନ ନଥିବାରୁ ବାହାରେ ରହି ନଷ୍ଟ ହୋଇଥାଏ ।

Comments (0)
Add Comment