ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାନ୍ତାଳି ନାମ କ’ଣ ଥିଲା ? ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା

ନୂଆଦିଲ୍ଲୀ : ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ‘ମହାଭାରତ’ର ଚରିତ୍ରର ନାମ ଦିଆଯାଇଥିଲା । କିଛି ସମୟ ପୂର୍ବରୁ ଏକ ଅଡିଓ ଭିଡିଓ ମାଗାଜିନକୁ ଦେଇଥିବା ଏକ ସାକ୍ଷାତକାରରେ ମୁର୍ମୁ କହିଥିଲେ ଯେ ତାଙ୍କ ସାନ୍ତାଳି ନାମ ହେଉଛି “ପୁତି’, ଯାହାକୁ ବିଦ୍ୟାଳୟର ଶିକ୍ଷକ ଦ୍ରୌପଦୀ ଭାବରେ ବଦଳାଇ ଦେଇଛନ୍ତି । ମୁର୍ମୁ ପତ୍ରିକାକୁ କହିଥିଲେ ଯେ ଦ୍ରୌପଦୀ ମୋର ପ୍ରକୃତ ନାମ ନୁହେଁ । ମୋତେ ଏହି ନାମ ଅନ୍ୟ ଜିଲ୍ଲାର ଜଣେ ଶିକ୍ଷକ ଦେଇଥିଲେ, ଯିଏ ମୋ ଜନ୍ମ ଜିଲ୍ଲା ମୟୂରଭଞ୍ଜରୁ ନଥିଲେ । ମୁର୍ମୁ କହିଥିଲେ ଯେ ଆଦିବାସୀ ପ୍ରାଧାନ୍ୟ ମୟୂରଭଞ୍ଜ ଜିଲ୍ଲାକୁ କଟକ ଓ ବାଲେଶ୍ୱରରୁ ବହୁ ଶିକ୍ଷକ ଆସୁଥିଲେ । ବାଲେଶ୍ୱରରୁ ଆସିଥିବା ଜଣେ ଶିକ୍ଷକ ହିଁ ତାଙ୍କ ନାମ ବଦଳାଇ ଥିଲେ । କାରଣ ତାଙ୍କର ପ୍ରଥମ ନାମ ପୁତି ତାଙ୍କୁ ଭଲ ଲାଗିନଥିଲା ।ତାଙ୍କ ନାମ ଦ୍ରୌପଦୀ କାହିଁକି ବୋଲି ପଚରାଯିବାରୁ ସେ କହିଥିଲେ, ଶିକ୍ଷକ ମୋର ପୁରୁଣା ନାମକୁ ପସନ୍ଦ କରନ୍ତି ନାହିଁ ଏବଂ ତେଣୁ ଏହାକୁ ଭଲ କରିବା ପାଇଁ ବଦଳାଇ ଥିଲେ । ମୋର ନାମ ‘ଦୁରପଦୀ’ଠାରୁ ଦ୍ରୌପଦୀ ଯାଏଁ ବହୁ ଥର ବଦଳିଛି ବୋଲି ସେ କହିଥିଲେ ।
ମୁର୍ମୁ କହିଛନ୍ତି ଯେ ସାନ୍ତାଳି ସଂସ୍କୃତିରେ ନାମଗୁଡ଼ିକ ପିଢି ପରେ ପିଢି ଜାରି ରହିଛି । ସେ କହିଛନ୍ତି ଯେ ଯଦି ସାନ୍ତାଳି ପରିବାରରେ ଜଣେ ଝିଅ ଜନ୍ମ ହୁଏ, ତେବେ ତାଙ୍କୁ ତାଙ୍କ ଜେଜେମା’ଙ୍କ ନାମ ଦିଆଯାଏ ଏବଂ ଯଦି କୌଣସି ପୁଅ ଜନ୍ମ ହୁଏ, ତେବେ ସେ ତାଙ୍କ ଜେଜେବାପାଙ୍କ ନାମରେ ନାମିତ ହୁଏ । ବିଦ୍ୟାଳୟ ଏବଂ କଲେଜରେ ଦ୍ରୌପଦୀଙ୍କ ଉପନାମ ଥିଲା ଟୁଡୁ । ସେ ବ୍ୟାଙ୍କ ଅଧିକାରୀ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିବା ପରେ ମୁର୍ମୁ ଉପନାମ ଗ୍ରହଣ କରିଥିଲେ ।
ସୋମବାର ସଂସଦର ସେଣ୍ଟ୍ରାଲ ହଲରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ଭାରତର ପ୍ରଧାନ ବିଚାରପତି ଏନ ଭି.ରମନ୍ନା ତାଙ୍କୁ ଶପଥ ପାଠ କରାଇଥିଲେ । ସେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ନିର୍ବାଚିତ ହେବାର ବହୁ ପୂର୍ବରୁ ମୁର୍ମୁ ରାଜନୀତିରେ ମହିଳାଙ୍କ ସଂରକ୍ଷଣ ସମ୍ପର୍କରେ ନିଜର ମତ ରଖିଥିଲେ ।
ପୁରୁଷ ପ୍ରାଧାନ୍ୟ ରାଜନୀତିରେ ମହିଳାଙ୍କ ପାଇଁ ସଂରକ୍ଷଣ ରହିବା ଉଚିତ ବୋଲି ମୁର୍ମୁ ପତ୍ରିକାକୁ କହିଥିଲେ ।ରାଜନୈତିକ ଦଳ ଏହି ପରିସ୍ଥିତିକୁ ବଦଳାଇ ପାରିବେ କାରଣ ସେମାନେ ହିଁ ପ୍ରାର୍ଥୀ ଚୟନ କରନ୍ତି ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଟିକେଟ୍‌ ବଣ୍ଟନ କରନ୍ତି । ୧୮ ଫେବୃଆରୀ ୨୦୨୦ ରେ ‘ବ୍ରହ୍ମାକୁମାରୀ ଗଡଲିଉଡ ଷ୍ଟୁଡିଓ’କୁ ଦେଇଥିବା ଅନ୍ୟ ଏକ ସାକ୍ଷାତକାରରେ ମୁର୍ମୁ ତାଙ୍କର ୨୫ ବର୍ଷର ବଡ ପୁଅ ଲକ୍ଷ୍ମଣଙ୍କ ମୃତ୍ୟୁ ପରେ ତାଙ୍କ ଅନୁଭୂତି ବାଣ୍ଟିଥିଲେ ।
ମୁର୍ମୁ କହିଛନ୍ତି, “ମୋ ପୁଅର ଦେହାନ୍ତ ପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲି । ମୁଁ ଦୁଇମାସ ଧରି ଚାପରେ ଥିଲି । ମୁଁ ଲୋକମାନଙ୍କୁ ଭେଟିବା ବନ୍ଦ କରି ଘରେ ରହିଥିଲି । ପରେ ମୁଁ ଇଶ୍ୱରୀ ପ୍ରଜାପତି ବ୍ରହ୍ମା କୁମାରୀର ଅଂଶ ହେଲି । ଯୋଗ ଅଭ୍ୟାସ କରିବା ସହ ଧ୍ୟାନ ଆରମ୍ଭ କରି ଚାପରୁ ମୁକୁଳି ପାରିଥିଲି । ଉଲ୍ଲେଖଯୋଗ୍ୟ ଯେ, ଭାରତର ୧୫ ତମ ରାଷ୍ଟ୍ରପତିଙ୍କ ସାନପୁଅ ସିପୁନ୍‌ ମଧ୍ୟ ୨୦୧୩ ରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଏବଂ ପରେ ତାଙ୍କ ଭାଇ ଏବଂ ମାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
ମୁର୍ମୁ କହିଛନ୍ତି ଯେ ମୋ ଜୀବନରେ ସୁନାମି ଆସିଛି । ଛଅ ମାସ ମଧ୍ୟରେ ମୋର ତିନିଜଣ ସଦସ୍ୟଙ୍କର ଦେହାନ୍ତ ହୋଇଥିଲା । ମୁର୍ମୁଙ୍କ ସ୍ୱାମୀ ଶ୍ୟାମ ଚରଣ ୨୦୧୪ ରେ ଦେହାନ୍ତ କରିଛନ୍ତି । ସେ କହିଥିଲେ ଯେ ଏକ ସମୟ ଥିଲା, ଯେତେବେଳେ ମୁଁ ଅନୁଭବ କଲି ଯେ ମୋ ଜୀବନ କୌଣସି ସମୟରେ ଚାଲି ଯାଇପାରେ । ମୁର୍ମୁ କହିଛନ୍ତି ଯେ ଦୁଃଖ ଏବଂ ସୁଖ ଜୀବନର ଏକ ଅଂଶ ।

Comments (0)
Add Comment