ଫେରିଲେ ଆଉ ୨୧୩୫ ଭାରତୀୟ

ନୂଆଦିଲ୍ଲୀ.୬/୩ : ଭାରତ ସରକାରଙ୍କର ଅପରେସନ ଗଙ୍ଗା ଅଭିଯାନ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଭାରତୀୟ ଦୂତାବାସ ରବିବାର ଏହାର ସୂଚନା ଦେଇଛନ୍ତି । ଦୂତାବାସ ବାକି ରହି ଯାଇଥିବା ଛାତ୍ରଙ୍କୁ ହଙ୍ଗେରୀ ରାଜଧାନୀ ବୁଡାପେଷ୍ଟ ପହଞ୍ଚିବାକୁ ଅପିଲ୍‌ କରିଛନ୍ତି । ରବିବାର ୟୁକ୍ରେନର ପଡୋଶୀ ରାଷ୍ଟ୍ରମାନଙ୍କରୁ ୧୧ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୨୧୩୫ ଜଣ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି । ଏଥିସହିତ, ଏବେ ସୁଦ୍ଧା ୧୫ ହଜାର ୯୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇ ସାରିଛି । ଅପରେସନ ଗଙ୍ଗା ଅଧୀନରେ ୨୨ ଫେବୃଆରୀ ଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ୬୬ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୧୩ ହଜାର ୮୫୨ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇଛି । ସେହିପରି ଏବେ ସୁଦ୍ଧା ଭାରତୀୟ ବାୟୁସେନାର ୧୦ଟି ବିମାନରେ ୨୦୫୬ ଜଣ ଯାତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅପରେସନ ଗଙ୍ଗାର ଅଂଶବିଶେଷ ସ୍ୱରୂପ ବାୟୁସେନାର ବିମାନ ୨୬ ଟନ୍‌ ରିଲିଫ ସାମଗ୍ରୀ ୟୁକ୍ରେନକୁ ପଠାଇଛି । ଆଜି ଫେରିଥିବା ସ୍ୱତନ୍ତ୍ର ବେସାମରିକ ବିମାନ ମଧ୍ୟରୁ ୯ଟି ନୂଆଦିଲ୍ଲୀରେ ଏବଂ ୨ଟି ମୁମ୍ବାଇରେ ଅବତରଣ କରିଛି । ବୁଦାପେଷ୍ଟରୁ ୬ଟି, ବୁକାରେଷ୍ଟରୁ ୨ଟି, ରେସେଜୋରୁ ୨ ଏବଂ କୋସିଚେରୁ ଗୋଟିଏ ବିମାନ ଫେରିଛି । ସୋମବାର ୮ଟି ବିମାନ ଭାରତରେ ପହଞ୍ଚିବ । ବୁଦାପେଷ୍ଟରୁ ୫ଟି, ସୁଚେଭାରୁ ୨ଟି ଏବଂ ବୁକାରେଷ୍ଟରୁ ଗୋଟିଏ ବିମାନରେ ୧୫୦୦ ଭାରତୀୟଙ୍କୁ ଫେରାଇ ଅଣାଯିବ ।

Comments (0)
Add Comment